ନୂଆଦିଲ୍ଲୀ ୧୯।୯: ଦିଲ୍ଲୀରେ ଖୁବ ଶୀଘ୍ର ଆତିଶୀ ମାର୍ଲେନାଙ୍କ ସରକାର ହେବାକୁ ଯାଉଛି। ନୂଆ ସରକାରର ଛବି ଗୁରୁବାର ସ୍ପଷ୍ଟ ହୋଇଯାଇଛି। ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ତାଙ୍କ ସହିତ ୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିବେ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଗୋପାଲ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ ଓ ଇମ୍ରାନ ହୁସେନ କ୍ୟାବିନେଟ୍ ମନ୍ତ୍ରୀ ରୂପେ ଶପଥଗ୍ରହଣ କରିବେ। ଏଥିରେ ମୁକେଶ ଅହଲାୱତଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯିବ।
ମୁକେଶ ଅହଲାୱତ ରୂପେ କ୍ୟାବିନେଟରେ ଜଣେ ଦଳିତ ଚେହେରାଙ୍କୁ ସ୍ଥାନିତ କରାଯାଇଛି। ଦଳିତ ଚେହେରା ରୂପେ ରବି ଓ କୂଲଦୀପ କୁମାରଙ୍କ ନାମ ମଧ୍ୟ ଥିଲା। ତେବେ ତାଙ୍କ ସ୍ଥାନରେ ପ୍ରଥମ ଥରର ବିଧାୟ ଅହଲୱତଙ୍କୁ ମନ୍ତ୍ରୀ କରାଯାଉଛି। ୨୦୨୦ ମସିହାରେ ମୁକେଶ ଆମ ଆଦମୀ ପାର୍ଟି ଟିକେଟରେ ସୁଲତାନପୁର ମାଜରାରୁ ପ୍ରଥମ ଥର ଦିଲ୍ଲୀ ନିର୍ବାଚନ ଲଢିଥିଲେ। ସେ ୪୮,୦୪୨ ଭୋଟରେ ନିର୍ବାଚନ ଜିତିଥିଲେ।
ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ.ସକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଓ ଅତୀଶୀଙ୍କ ଦ୍ୱାରା ନୂଆ ସରକାର ଗଢିବା ପାଇଁ କରାଯାଇଥିବା ଦାବିପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆତିଶୀ ଆପ ବିଧାୟକ ଦଳର ନୂଆ ନେତା ମନୋନୀତ ହେବା ପରେ ଏଲଜିଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ। ଏଲଜି ନୂଆ ସରକାରର ଶପଥଗ୍ରହଣ ଲାଗି ସେପ୍ଟେମ୍ବର ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।