ନୂଆଦିଲ୍ଲୀ: ରାଜଧାନୀରେ ପୁଣି ବୋମା ଧମକ । ଆରକେ୍ପୁରମ୍ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲ ସମେତ କିଛି ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଡିସେମ୍ବର ୧୪ ତାରିଖ ଅର୍ଥାତ୍ ଆଜି ସକାଳୁ ସକାଳୁ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହାର ସୂଚନା ମିଳିବା କ୍ଷଣୀ ବିଦ୍ୟାଳୟ ପରିସରରେ ଭୟର ବାତାବରଣ ଖେଳିଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ତୁରନ୍ତ ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ରେସକ୍ୟୁ ଟିମ୍ ଏବଂ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି ଦେଖିଲେ । ମାତ୍ର ଏପର୍ଯ୍ୟନ୍ତ ଡିପିଏସରୁ କୌଣସି ସନ୍ଦିଗ୍ଧ ବିସ୍ଫୋରକ ପଦାର୍ଥ ମିଳିନାହିଁ ।
ଦିଲ୍ଲୀ ପୋଲିସ ମୁତାବକ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ସହିତ ଅନ୍ୟ କିଛି ବିଦ୍ୟାଳୟରୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଥିଲା । ସ୍କୁଲ କର୍ତ୍ତୃପକ୍ଷ ଦିଲ୍ଲୀ ଫାୟାର ଡିପାର୍ଟମେଣ୍ଟକୁ ସକାଳ ୬ଟା ବେଳେ ସୂଚନା ଦେଇଥିଲେ । ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ସ୍କୁଲରୁ ସେଭଳି କିଛି ସନ୍ଦିଗ୍ଧ ପଦାର୍ଥ ମିଳିନଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ପ୍ରତ୍ୟେକ ଦିନ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ ମିଳିବା ସାଧାରଣ କଥା ହୋଇଗଲାଣି । ତଥାପି ପୋଲିସ ଏହାକୁ ହାଲୁକାରେ ନନେଇ ଯାଞ୍ଚ କରୁଛି । ନକଲି ଇ-ମେଲ୍ ପଠାଉଥିବା ବ୍ୟକ୍ତିକୁ ଗିରଫ କରିବାକୁ ଉଦ୍ୟମ ଚଳାଉଛି ।
#WATCH | Delhi: Visuals from outside of DPS RK Puram - one of the schools that receive bomb threats, via e-mail, today morning pic.twitter.com/UrOddv8JnC
— ANI (@ANI) December 14, 2024
ଏହା ପୂର୍ବ ଶୁକ୍ରବାର ଦିଲ୍ଲୀର ଇଷ୍ଟ ଅଫ୍ କୈଳାସ ଡିପିଏସ, ସଲଓ୍ବାନ ପବ୍ଲିକ୍ ସ୍କୁଲ, ମର୍ଡନ ସ୍କୁଲ ଏବଂ କେମ୍ବ୍ରିଜ୍ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ସେହିପରି ସୋମବାର ରାଜଧାନୀ ଦିଲ୍ଲୀର ପ୍ରାୟ ୪୦ଟି ସ୍କୁଲକୁ ଟାର୍ଗେଟ୍ କରାଯାଇଥିଲା । ବମ୍ରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଆଜିକୁ ମିଶାଇ ଗୋଟିଏ ସପ୍ତାହରେ ଏହା ତୃତୀୟ ଧମକ ହୋଇଗଲାଣି ।...