ଭୁବନେଶ୍ବର ୧୦/୧୨: ଚଳିତ ବର୍ଷ ପ୍ରବାସୀ ଭାରତୀୟଙ୍କ ପାଇଁ ହୋମ୍ ଷ୍ଟେ ସୁବିଧା । ଅତିଥିଙ୍କୁ ନିଜ ଘରେ ରଖିବାକୁ ଆବେଦନ କରିପାରିବେ ଇଚ୍ଛୁକ ବ୍ୟକ୍ତି । କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟଟନ ବିଭାଗର ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ଜାନୁଆରୀ ୮ରୁ ୧୦, ୩ ଦିନ ଧରି ଭୁବନେଶ୍ବରରେ ଚାଲିବ ପ୍ରବାସୀ ଭାରତୀୟ ଦିବସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ହାଇ ପାୱାର କମିଟି ବୈଠକ ସରିଛି । ଆମର ସୌଭାଗ୍ୟ ଯେ ଏଥର ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ । ଓଡ଼ିଶା ଅତିଥି ଦେବୋ ଭବରେ ବିଶ୍ବାସ କରେ । ନୂଆ ବର୍ଷ ନୂଆ ଉଦ୍ଦୀପନା ଦେବ । ଓଡ଼ିଶାକୁ ସାଂସ୍କୃତିକ ରାଜ୍ୟ ଭାବରେ ବିଶ୍ବ ଦରବାରରେ ଦେଖାଇବାକୁ ଚେଷ୍ଟା କରିବୁ । ସେମାନଙ୍କ ସୁରକ୍ଷାଠୁ ନେଇ ରହିବା,ବୁଲିବା ସବୁ ଦାୟିତ୍ବ ପର୍ଯ୍ୟଟନ ବିଭାଗର ।
ଭୁବନେଶ୍ବର ସମେତ କଟକ,ପୁରୀ,କୋଣାର୍କ,ଚିଲିକା,ରତ୍ନଗିରି,ଲଳିତଗିରି,ଚଉଷଠି ଯୋଗିନୀ ବେଳାଭୂମି,ଖଣ୍ଡଗିରି,ଉଦୟଗିରି,ଚିଲିକା ବାର ଫେଷ୍ଟିଭାଲ ଭଳି ସବୁ ସ୍ଥାନରେ ଭିତ୍ତିଭୂମି ସଜାଡିଛୁ । ପ୍ରବାସୀମାନେ ବୁଲିବାକୁ ଯିବା ପାଇଁ ସବୁ ପ୍ରସ୍ତୁତି ହୋଇଛି । ଯେତେ ପ୍ରବାସୀ ରେଜିଷ୍ଟ୍ରେସନ କରିବେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଛି । ଚଳିତ ଥର ପ୍ରଥମ କରି ହୋମ୍ ଷ୍ଟେ ବ୍ୟବସ୍ଥା ହୋଇଛି । ଏବେ ସୁଦ୍ଧା ପ୍ରାୟ ୩ଶହ ରୁମ୍ ପ୍ରସ୍ତୁତ ରହିଛି । ଲୋକଙ୍କ ଘରେ ଅତିଥି ରହିବେ । ଯେଉଁମାନେ ଚାହିଁବେ ନିଜ ଘରେ ଅତିଥିଙ୍କୁ ରଖିବାକୁ ପର୍ଯ୍ୟଟନ ବିଭାଗର ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ । ଏହା ଦ୍ବାରା ଲୋକଙ୍କ ରୋଜଗାର ବଢିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।