ନୂଆଦିଲ୍ଲୀ: ଦେବେନ୍ଦ୍ର ପଡ଼ନବିସଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଶେଷରେ ରାଜି ହୋଇଛନ୍ତି ଏକନାଥ ସିନ୍ଦେ । ନିର୍ବାଚନ ରେଜଲ୍ଟ ପରଠୁ ନୂଆ ସରକାରରେ ଏକନାଥ ସିନ୍ଦେଙ୍କୁ କେଉଁ ପଦ ମିଳିବ ତାକୁ ନେଇ ଜାରି ଥିବା ସସପେନ୍ସ ଶେଷ ହୋଇଛି । ଶପଥ ଗ୍ରହଣ ସମାରୋହର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଦେ ସହମତି ଦେଇଛନ୍ତି । ଏକନାଥ ସିନ୍ଦେ ଡେପୁଟି ସିଏମ୍ ହେବା ପାଇଁ ରାଜି ହୋଇଥିବା ଶିବସେନା ନେତା ଉଦୟ ସାମନ୍ତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗୁରୁବାର ସଂଧ୍ୟାରେ ଆଜାଦ୍ ମୈଦାନରେ ହେବାକୁ ସମାରୋହରେ ଶପଥ ଗ୍ରହଣ କରିବେ ।
ଉଲ୍ଲେଖଯୋଗ୍ୟ ମନ୍ତ୍ରଣାଳୟ ଭାଗବଣ୍ଟାକୁ ନେଇ ସିନ୍ଦେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ଗୃହ ମନ୍ତ୍ରଣାଳୟ ଏବଂ ବିଧାନସଭା ବାଚସ୍ପତି ପଦ ନିଜ ପାର୍ଟି ପାଇଁ ଦାବି କରୁଥିଲେ । କିନ୍ତୁ ବିଜେପି ଏଥିରେ ରାଜି ହେଉ ନଥିଲା । ଯେଉଁଥି ପାଇଁ ସେ ଅସନ୍ତୁଷ୍ଟ ଥିଲେ, କିନ୍ତୁ ଶିବସେନା ବିଧାୟକଙ୍କ ଦ୍ୱାରା ବୁଝସୁଝା କରିବା ପରେ ସିନ୍ଦେ ରାଜି ହୋଇଛନ୍ତି । ତେବେ ସିନ୍ଦେଙ୍କୁ ବିଜେପି କେଉଁ କେଉଁ ପ୍ରତିଶ୍ରୁତି ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ବିଜେପି ସୂତ୍ରକୁ ନେଇ ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ପାର୍ଟି ଯେକୌଣସି ସ୍ଥିତିରେ ଏକନାଥ ସିନ୍ଦେଙ୍କୁ ଗୃହ ମନ୍ତ୍ରଣାଳୟ ଦେବାକୁ ରାଜି ନୁହେଁ । ଏହାର ଏକ ପ୍ରମୁଖ କାରଣ ହେଉଛି ଏପରି କରିବା ଦ୍ୱାରା ଦୁଇଟି କ୍ଷମତା କେନ୍ଦ୍ର ହେବ ଏବଂ ଶାସନ କରିବାରେ ମୁଖ୍ୟମନ୍ତ୍ରୀଙ୍କୁ ଅସୁବିଧା ହେବ ।
ଉଲ୍ଲେଖଯୋଗ୍ୟ ଯେ ବୁଧବାର ସଂଧ୍ୟାରେ ସିନ୍ଦେଙ୍କ ଶପଥ ଗ୍ରହଣ ନେଇ ଶିବସେନା ଏକ ପ୍ରକାର ସ୍ପଷ୍ଟ କରିଥିଲା । କିନ୍ତୁ ଗୁରୁବାର ସକାଳୁ ପୁଣି ଥରେ ସସପେନ୍ସ ବଢିଥିଲା । ଶିବସେନା ନେତା ଉଦୟ ସାମନ୍ତ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏକନାଥ ସିନ୍ଦେଙ୍କ ଶପଥ ନେବା ସ୍ପଷ୍ଟ ହୋଇ ନାହିଁ । ସିନ୍ଦେଙ୍କୁ ରାଜି କରାଇବା ପାଇଁ ଆମେ ଉଦ୍ୟମ କରୁଛୁ । ସାମନ୍ତ କହିଥିଲେ, 'ଆମର ସମସ୍ତ ବିଧାୟକ ସ୍ପଷ୍ଟ କରିଛନ୍ତି, ଯଦି ଏକନାଥ ସିନ୍ଦେ ସରକାରରେ ସାମିଲ ନହୁନ୍ତି, ତେବେ ଆମେ ବି ସରକାରରେ ସାମିଲ ହେବୁନି ।'