ନୂଆଦିଲ୍ଲୀ: ଓ୍ଵାଏନାଡ଼ରୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ବଜେଟ୍ ଅଧିବେଶନର ଆଲୋଚନାରେ ଭାଗ ନେଇଛନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜବାବ ଉପରେ ପ୍ରତିକ୍ରିୟା ଦେଇ ଦରବୃଦ୍ଧିକୁ ନେଇ ବିଜେପି ନେତାଙ୍କ ଉପରେ ଆକ୍ଷେପ କରିଛନ୍ତି।
ସେ କହିଛନ୍ତି, ମୋତେ ଜଣା ନାହିଁ ସେ କେଉଁ ଗ୍ରହରେ ରହୁଛନ୍ତି। ସେ କହୁଛନ୍ତି ଦେଶରେ କୌଣସି ମୁଦ୍ରାସ୍ଫୀତି ନାହିଁ। ବେରୋଜଗାରୀ ବୃଦ୍ଧି ଘଟିନାହିଁ, ମୂଲ୍ୟରେ କୌଣସି ବୃଦ୍ଧି ହୋଇ ନାହିଁ। ଏସବୁ କଣ ନିର୍ମଳାଙ୍କୁ ଦେଖା ଯାଉନାହିଁ।
ଉଲ୍ଲେଖନୀୟ, ନିଜ ସମ୍ବୋଧନରେ ନିର୍ମଳା କହିଥିଲେ ଖାଦ୍ୟ ପଦାର୍ଥରେ ମୁଦ୍ରାସ୍ପୀତି କମିବାରେ ଲାଗିଛି। ସରକାର ୨୦୨୫-୨୬ରେ ପାଖାପାଖି ପୂରା ଉଧାରୀର ଉପଯୋଗ ପୁଞ୍ଜିଗତ ବ୍ୟୟର ବିତ୍ତୀୟ ପୋଷଣ ପାଇଁ କରୁଛନ୍ତି।
ନିର୍ମଳା ମଙ୍ଗଳବାର ଏହା ମଧ୍ୟ କହିଥିଲେ ଯେ, ଭାରତୀୟ ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସୁଛି। ବଜେଟ୍ରେ ଲୋକଙ୍କ ହାତରେ ନଗଦ ରାଶି ବଢାଇବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏହା ସହିତ ଆର୍ଥିକ ବର୍ଷ ୨୦୨୫ରେ ୯୯ ପ୍ରତିଶତ ଉଧାରର ଉପଯୋଗ ପୁଞ୍ଜିଗତ ବ୍ୟୟ ପାଇଁ କରାଯାଉଛି। ଯଦ୍ଵାରା ରାଜକୋଷରେ ସନ୍ତୁଳନ ବଜାୟ ରଖା ଯାଇ ପାରିବ।
ସେ କହିଛନ୍ତି, ବଜେଟ୍ର ମୂଳ ଫୋକସ ଗରିବ, ଯୁବବର୍ଗ, ଅନ୍ନଦାତା ଓ ମହିଳାଙ୍କ ଉପରେ କରାଯାଇଛି। ଏହାର ଉଦ୍ଦେଶ୍ୟ କୃଷି, ଏମଏସଏମଇ ଓ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ଯୋଜନାକୁ ସାମ୍ନାକୁ ଆଣିବା।