ନୂଆଦିଲ୍ଲୀ ୨୯।୧୧: ଗରମ ଚା’ରୁ ଆରମ୍ଭ ହୁଏ ଶୀତଦିନ ସକାଳ । ବାସ୍ କପେ ଚା’ ମିଳିଗଲେ କଥା ସରିଲା । ଅନେକ ଲୋକ ଅଧିକ ଗରମ ଚା’ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ, ଜାଣିରଖନ୍ତୁ ଅତ୍ୟଧିକ ଗରମ ଚା’ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ । ଏପିରିକ ଆପଣଙ୍କୁ ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ ।
ଅଧିକ ଗରମ ଚା' ପିଇବା ଶରୀର ଉପରେ ପକାଇଥାଏ କୁପ୍ରଭାବ । ଏମତିକି ଚା' କିମ୍ବା କଫି ପରି ଅତ୍ୟଧିକ ଗରମ ପାନୀୟ ହୋଇପାରେ କ୍ୟାନସର୍ର କାରଣ । ଏକଥା ଆମେ କହୁନୁ, ଏହା ଏକ ରିସର୍ଚ୍ଚରୁ ଜଣା ପଡିଛି । ବାସ୍ତବରେ ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା ।
ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି । ସାଧାରଣତଃ ଖାଦ୍ୟ ଆମ ଓସୋଫାଗାଲ୍ ଅର୍ଥାତ୍ ଖାଦ୍ୟ ନଳୀ ମାଧ୍ୟମରେ ପେଟରେ ପହଞ୍ଚେ । ଅତ୍ୟଧିକ ଗରମ ଖାଦ୍ୟ କିମ୍ୱା ପାନୀୟ ସେବନ କରିବା କାରଣରୁ ମୁଖଗହ୍ୱର ଓ ଖାଦ୍ୟନଳୀ ଉତ୍ତାପର ଶିକାର ହୋଇଥାଏ ।
ବାରମ୍ୱାର ଏହିପରି ଉଚ୍ଚ ତାପମାତ୍ରା ସଂସ୍ପର୍ଶରେ ଆସିଲେ କ୍ରନିକ୍ ସମସ୍ୟା, ସେଲୁଲାର୍ କ୍ଷତି ଓ ଶେଷରେ କର୍କଟ ରୋଗ ହେବାର ସମ୍ଭାବନା ବଢିଯାଇଥାଏ। ଅଧିକ ଗରମ ଖାଦ୍ୟ ଖାଇବା କାରଣରୁ ଓସୋଫାଗାଲ୍ରେ ଥିବା ଟିସୁ ନଷ୍ଟ ହୋଇଯାଇଥାଏ । ଆଉ ଏଥିରେ ହେଉଥିବା କ୍ଷତିକୁ ଠିକ୍ ହେବାରେ ଅଧିକ ସମୟ ଲାଗିଥାଏ । ଏହି ପ୍ରକ୍ରିୟା ଧୀରେ ଧୀରେ ହୋଇଥାଏ ।
ଗରମ ପାନୀୟ ପିଇବା ଦ୍ୱାରା ସଙ୍ଗେ ସଙ୍ଗେ କର୍କଟ ରୋଗ ହୋଇନପାରେ । କିନ୍ତୁ ଦୀର୍ଘଦିନ ଧରି ଗରମ ପାନୀୟ ପିଇଲେ ଏପରି ଆଶଙ୍କା ବଢିଯାଏ। ତେବେ ଓସୋଫାଗାଲ୍ କ୍ୟାନସର ଖାଦ୍ୟନଳୀରେ ହୋଇଥାଏ । ଏହା ଏକ ଗମ୍ଭୀର ରୋଗ ଏବଂ ଏହା ହେବାର ଆହୁରି ଅନେକ କାରଣ ରହିଛି । ଧୂମପାନ, ମଦ୍ୟପାନ ଯୋଗୁଁ ଏହି କ୍ୟାନସର ହୋଇପାରେ ।