ବିଧାୟକଙ୍କ ଦରମା ବୃଦ୍ଧିରେ ତେଜିଲା ରାଜନୀତି : କଟାକ୍ଷ କଲେ ଉପମୁଖ୍ୟମନ୍ତ୍ରୀ କେଭି, ବିଲକୁ ବିଜେଡିର ସମର୍ଥନ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

NEWS7
driver-dead-and-helper-critical-after-truck-overturned-in-dwarasuni-ghati-in-mayurbhanj

ଭୁବନେଶ୍ୱର ୧୪।୧୨: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ପ୍ରସଙ୍ଗରେ ତେଜିଛି ରାଜନୀତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନବୀନଙ୍କ ଏହି ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତି। କେଭି କହିଛନ୍ତି ବିଧାନସଭାରେ ଏନେଇ ଆଲୋଚନା କରିବାର ସୁଯୋଗ ଥିଲା। ବିରୋଧୀ ଦଳ ନେତା କାହିଁକି ଗୃହକୁ ଆସି ନିଜ ମତ ରଖିଲେନି ବୋଲି ପ୍ରଶ୍ନ କରିଛନ୍ତି କେଭି। ଏହାକୁ ରାଜନୀତିର ଖେଳ ବୋଲି କହିଛନ୍ତି କେଭି।

କଂଗ୍ରେସ ବିଧାୟକ ପବିତ୍ର ସାଉଁତା କହିଛନ୍ତି, ଯଦି ବିରୋଧୀ ଦଳ ନେତାଙ୍କ ଦରମା ନେବାର ନ ଥିଲା କାହିଁକି ବିଧାନସଭାରେ ବିଲକୁ ବିଜେଡି ସମର୍ଥନ କଲା? ବର୍ଦ୍ଧିତ ଦରମାକୁ ନେଇ ବିଜେଡି ଦୋମୁଁହା ନୀତି ଅବଲମ୍ବନ କରୁଛି। ଯେତେବେଳେ ବିଧାନସଭାରେ ବିଲ ପାରିତ ହେଉଥିଲା, ସେତେବେଳେ ବିଜେଡି ଦଳର ସବୁ ସଦସ୍ୟ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ସମସ୍ତେ ଉପସ୍ଥିତ ରହି ଦରମା ବୃଦ୍ଧି ବିଲକୁ ସମର୍ଥନ କରିଥିଲେ। ଏବେ ପଲିଟିକାଲ ଷ୍ଟଣ୍ଟ ପାଇଁ ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି କହୁଛନ୍ତି। ନିଜ ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ ନବୀନ ପଟ୍ଟନାୟକ। ଏନେଇ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ନବୀନ ବାବୁ ବହୁତ ଧନୀ ଲୋକ, ଏସବୁ ଡ୍ରାମା । ଓଡ଼ିଶାରେ ଖଣି ଖାଦାନର ଅନେକ ଦୁର୍ନୀତି ହୋଇଛି, ତାର ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ବିଗତ ଦିନରେ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ବିଧାନସଭାରେ ଦରମା ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଛନ୍ତି। ଅର୍ଥାତ ନବୀନ ବାବୁଙ୍କର ବି ସମର୍ଥନ ଥିଲା । ବିଧାନସଭାରେ ନବୀନ ବାବୁ କାହିଁକି ଏ ପ୍ରସଙ୍ଗ ରଖିଲେ ନାହିଁ । ବିରୋଧୀ ଦଳ ନେତା ବିଧାନସଭା ଅଧିବେଶନ ଶେଷ ଦିନରେ ରହି ବିଲ ଆଲୋଚନାରେ ଭାଗ ନେଇପାରିଥାନ୍ତେ ।ବିରୋଧ କରିପାରିଥାନ୍ତେ । ବିରୋଧ କରିଥିଲେ ସରକାର ବିଲକୁ ପ୍ରତ୍ୟାହାର କରି ନେଇଥାଆନ୍ତେ।