ଝାରସୁଗୁଡ଼ା ୦୫।୦୧ : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡିଲା ଡ୍ରୋନ୍ । ୩ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତ କରିଥିବା ବେଳେ ଏଭଳି ତ୍ରୁଟି ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି ।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଝାଡେଶ୍ୱର ମନ୍ଦିରକୁ ଯାଉଥିଲେ । ହଠାତ୍ ଏହି ସମୟରେ ଏକ ଅଚିହ୍ନା ଡ୍ରୋନ୍ ଆସି ତାଙ୍କ ପାଖରେ ଖସିପଡିଥିଲା । ଡ୍ରୋନ୍ଟି ଅତର୍କିତ ଭାବେ ପଡିଥିବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ , ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚମକି ପଡିଥିବାର ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପିଏସ୍ଓ ଏବଂ ପୋଲିସ ଉକ୍ତ ଡ୍ରୋନ୍କୁ ପାଦରେ ଏଡାଇ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ୱଭାବିକ ଢଙ୍ଗରେ ଚାଲିଥିଲା । କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଡ୍ରୋନ୍ ଉଡାଇଥିବା ସନ୍ଦେହ କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ କିପରି ସୁରକ୍ଷାରେ ଏଭଳି ତ୍ରୁଟି ହେଲା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।