ବିମାନର ହେଲା ଜରୁରୀକାଳୀନ ଅବତରଣ, ପାଇଲଟଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯: ହଠାତ୍‌ ଇଞ୍ଜିନ ଖରାପ ହୋଇଗଲା । ଏଥିରୁ ବର୍ତ୍ତିବା ପାଇଁ ଥିବା ଦୁଇଜଣ ବ୍ୟକ୍ତି କଲେ ଜରୁରୀ ଅବତରଣ । କିନ୍ତୁ ଗୋଟିଏ ବିପଦରୁ ବର୍ତ୍ତିବା ପରେ ଏମାନେ ପଡିଗଲେ ଦ୍ବିତୀୟ ବିପଦରେ । ବାସ୍ତବରେ ଏହି ୨ ଜଣଙ୍କୁ ରନଓ୍ବେରୁ ଗିରଫ କରିନେଇଥିଲା ପୋଲିସ । ଏମାନେ ମାଦକଦ୍ରବ୍ୟ କାରବାର କରୁଥିବା ନେଇ ପୋଲିସ ତାଙ୍କୁ ଗିରଫ କରିଛି । 

ଘଟଣାଟି ଦକ୍ଷିଣ କାଲିଫର୍ନିଆରେ ଘଟିଛି । ପୋଲିସ ଅନୁଯାୟୀ ଏହି ବିମାନରେ ପ୍ରଶିକ୍ଷକ ପାଇଲଟ ଏବଂ ତାଙ୍କ ଟ୍ରେନିଂ ଯାତ୍ରୀ ରହିଥିଲେ । ଏମାନେ ହେଉଛନ୍ତି ୨୧ ବର୍ଷିୟ ଗାବ୍ରିଏଲ୍ ଲିଓନ୍ ବ୍ରେଟ୍ ଏବଂ ୩୬ ବର୍ଷୀୟ ଟ୍ରାଇ ଓଥନିଏଲ୍ ସ୍ମିଥ୍ । ବ୍ରେଟ୍ ଗୁରୁବାର ରାତି ପ୍ରାୟ ୧.୪୫ରେ ଅଧିକାରୀଙ୍କୁ ଫୋନ କରିଥିଲେ । ଆଉ କହିଥିଲେ କି ଇଞ୍ଜିନରେ ସମସ୍ୟା ରହିଛି । ଏହାପରେ ଦକ୍ଷିଣ କାଲିଫର୍ନିଆର ଓସେନସାଇଡ୍‌ର ଷ୍ଟେଟ୍ ରୁଟ୍ ୭୬ରେ ଜରୁରୀକାଳୀନ ଅବତରଣ କରିଥିଲା ଫ୍ଲାଇଟ୍ । 

ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ବିମାନରେ ଥିବା ୨ଜଣ ସୁରକ୍ଷିତ ରହିଥିଲେ । କିନ୍ତୁ ଏଠାରେ ଅଟକିନଥିଲା ତାଙ୍କ ସମସ୍ୟା । କାରଣ ଏମାନେ ରାସ୍ତା କଡରେ ଥିବା ବୁଦା ଭିତରେ ଏକ ବ୍ୟାଗ ଲୁଚାଇ ଦେଲେ । ଏହି ସମୟରେ ପୋଲିସର ତୀକ୍ଷ୍ଣ ନଜର ଏହା ଉପରେ ପଡିଗଲା । ସେହି ସମୟରେ ଉଭୟଙ୍କୁ ଗିରଫ କରିଥିଲା ପୋଲିସ । ସ୍ମିଥଙ୍କ ପାଖରୁ ଅଳ୍ପ ପରିମାଣର କୋକେନ୍ ମିଳିଛି , କିନ୍ତୁ ବ୍ୟାଗରୁ ଏକ କିଲୋ ଡ୍ରଗ୍ସ ମିଳିଛି । ବ୍ରେଟ୍ ଏବଂ ସ୍ମିଥ୍ଙ୍କ ଉପରେ ମାଦକଦ୍ରବ୍ୟ ଚୋରାଚାଲଣ ଆରୋପରେ ହୋଇଛନ୍ତି ଗିରଫ ।  

ଖବର ଅନୁଯାୟୀ ଉଭୟ ବିମାନକୁ ଭଡାରେ ବୁଧବାର ଅପରାହ୍ନରେ ନେଇଥିଲେ । ସେହି ଦିନ ରାତିରେ ସେମାନେ ଓସେନସାଇଡ୍‌କୁ ଫେରୁଥିବା ବେଳେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ବିମାନର ମାଲିକ କହିଛନ୍ତି କି ପ୍ଲସ୍ ୱାନ୍ ଫ୍ଲାଏର୍ସ ନାମକ ଏକ ଫ୍ଲାଇଙ୍ଗ୍ କ୍ଲବ୍ ମାଧ୍ୟମରେ ବିମାନକୁ ଲିଜ୍ରେ  ଦେଇଛନ୍ତି । ମାଲିକ କହିଛନ୍ତି କି ବିମାନଟି ଅବତରଣ କରିବା ବିଷୟରେ ସେ ୬.୩୦ରେ ଜାଣିବାକୁ ପାଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.