ଭୁବନେଶ୍ୱର ୧୨।୦୧ : କଳା ସାମ୍ରାଜ୍ୟରେ ଖୋଲିବ ଗୁମର । କମିଶନରେଟ୍ ପୋଲିସ ହାତରେ ଗିରଫ ହୋଇଥିବା ହଂସିତା ଓ ଅନୀଲ୍ଙ୍କୁ କଳା ସାମ୍ରାଜ୍ୟରେ ଖୋଲିବ ଗୁମର । ପୁରା ମାମଲାରେ ତଦନ୍ତ କରିବ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ତେବେ ତଦନ୍ତ ଯେତିକି ଗଭୀରକୁ ଯାଉଛି । ସେମାନଙ୍କ ସମ୍ପତ୍ତିର ତାଲିକା, ସେମିତି ଲମ୍ବୁଛି । ସମ୍ପତ୍ତିର ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅନୀଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ଓ ଆୟକର ବିଭାଗରୁ ସଂଗ୍ରହ କରିଛି । ଖୁବଶୀଘ୍ର ପିଏମଏଲ୍ଏ ଆକ୍ଟ ଜରିଆରେ କଳାଧନର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶ କରିବ ବୋଲି ସୂଚନା ମିଳିଛି ।
ତେବେ ହଂସିତା ଓ ତାଙ୍କର ବନ୍ଧୁ ଅନୀଲ ଗତ ତିନି ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କାର କାରବାରରେ ଟିକସ ସଂପର୍କରେ ଅନୀଲ ଓ ହଂସିତା ତଥ୍ୟ ଦେଇ ପାରୁନାହାନ୍ତି । ଦୁଇ ମହାଠକଙ୍କୁ ଟଙ୍କାର କାରବାରର ହିସାବ ମାଗିଛି ଆୟକର ବିଭାଗ । ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ଼ବଡ଼ିଆଙ୍କ ସଂପୃକ୍ତ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଶେଷ କରି ହଂସିତାଙ୍କ ୨ୟ ସ୍ୱାମୀ ନିକଟରୁ ଅନେକ ସମ୍ପତ୍ତି ମିଳିଛି । ସୁନାଗହଣା, ହୀରା ଅଳଙ୍କାର, ନଗଦ ଟଙ୍କା, ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଏପିରିକି ୪ ଦିନ ଧରି ମିଳିଥିବା ବେନାମୀ ସମ୍ପତ୍ତିର ଆକଳନ କରୁଛି ଆୟକର ବିଭାଗ । ଅନ୍ୟପଟେ ପୋଲିସ ହାତରେ ତିନୋଟି ଦାମୀ ଗାଡି ମିଳିଛି । ଏସବୁ ଗାଡିର ତଥ୍ୟ ପାଇଁ ଆୟକର ବିଭାଗକୁ ଚିଠି ଲେଖାଯାଇଛି ।