କଂଗ୍ରେସ ଏବେ ପରଜୀବୀ, ନିଜ ସହଯୋଗୀଙ୍କ ଡଙ୍ଗାକୁ ବୁଡ଼ାଉଛି; ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ପିଏମ୍ ମୋଦୀ

Published By : Prameya-News7 Bureau | November 23, 2024 IST

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତିର ମହାବିଜୟ ହୋଇଛି । ରାଜ୍ୟରେ ୨୩୦ ଆସନ ସହ ମହାୟୁତି ପୁଣି ଥରେ ସରକାର ଗଢିବାକୁ ଯାଉଛି । ନିର୍ବାଚନରେ ବିଜେପି ୧୨୫ ଆସନ ସହ ସବୁଠୁ ବଡ଼ ପାର୍ଟି ହୋଇଛି । ଏହାସହ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଉପନିର୍ବାଚନରେ ବି ଦଳ ଭଲ ପ୍ରଦର୍ଶନ କରିଛି । ଦଳର ଏହି ଐତିହାସିକ ବିଜୟ ପରେ ପିଏମ୍ ମୋଦୀ ପାର୍ଟି ମୁଖ୍ୟାଳୟରୁ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧନ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ମହାବିଜୟର ଉତ୍ସବ । ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି ଏବଂ ବିଭାଜନତାରୀ ନୀତିର ପରାଜୟ ହୋଇଛି । ମହାରାଷ୍ଟ୍ର ବିକଶିତ ଭାରତର ସଂକଳ୍ପକୁ ମଜଭୁତ କରିଛି । 

ବିଜେପିର ବଡ଼ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ପିଏମ୍ ମୋଦୀ ଦାବି କରିଛନ୍ତି ଯେ ଆଜି ମହାରାଷ୍ଟ୍ରରେ ବିକାଶବାଦ ଏବଂ ସୁଶାସନର ବିଜୟ ହୋଇଛି, ମହାରାଷ୍ଟ୍ରରେ ପ୍ରକୃତ ସାମାଜିକ ନ୍ୟାୟର ବିଜୟ ହୋଇଛି । ଅନ୍ୟପଟେ, ଆଜି ମହାରାଷ୍ଟ୍ରରେ ମିଛର ପରାଜୟ ହୋଇଛି । ବିଭାଜନକାରୀ ଶକ୍ତି ହାରିଛନ୍ତି, ନକାରାତ୍ମକ ରାଜନୀତିର ପରାଜୟ ହୋଇଛି, ଆଜି ପରିବାରବାଦର ପରାଜୟ ହୋଇଛି ।

ପିଏମ୍ ମୋଦୀ କହିଛନ୍ତି, ‘ମହାରାଷ୍ଟ୍ର ଦେଶର ଷଷ୍ଠ ରାଜ୍ୟ, ଯେଉଁଠି ବିଜେପି ଲଗାତାର ତୃତୀୟ ଥର ଜନାଦେଶ ପାଇଛି । ଏହା ପୂର୍ବରୁ ଗୋଆ, ଗୁଜରାଟ, ଛତିଶଗଡ଼, ହରିୟାଣା ଏବଂ ମଧ୍ୟପ୍ରଦେଶରେ ଆମେ ଲଗାତାର ତିନି ଥର ଜିତି ସାରିଛୁ । ବିହାରରେ ତିନି ଥର ଏନଡିଏକୁ ଜନାଦେଶ ମିଳିଛି । ଷାଠିଏ ବର୍ଷ ପରେ ମୋତେ ତୃତୀୟ ଥର ପାଇଁ ସୁଯୋଗ ଦେଇଛନ୍ତି । ଆମ ସୁଶାସନ ମଡେଲ ଉପରେ ଏହା ଜନତାଙ୍କ ବିଶ୍ୱାସ ଏବଂ ଏହି ଭରସାକୁ ବଜାୟ ରଖିବାରେ ଆମେ କୌଣସି ଅବହେଳା କରିବୁ ନାହିଁ ।‘

ହରିୟାଣା ପରେ ମହାରାଷ୍ଟ୍ର ନିର୍ବାଚନର ସବୁଠାରୁ ବଡ଼ ସନ୍ଦେଶ ହେଉଛି-ଏକଜୁଟ୍ ରହିବା । ଏକ ହୈ, ତୋ ସେଫ୍ ହୈ-ଆଜି ଏହା ଦେଶର ମହାମନ୍ତ୍ର ହୋଇଛି । ସେ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ପରାସ୍ଥିତିକ ତନ୍ତ୍ର (ଇକୋସିଷ୍ଟମ) ଭାବୁଥିଲା ଯେ ସମ୍ୱିଧାନ ନାଁରେ ମିଛ କହି, ସଂରକ୍ଷଣ ନାଁରେ ମିଛ ପ୍ରଚାର କରି ଏବଂ ଓବିସିକୁ ଛୋଟ ଛୋଟ ଗ୍ରୁପରେ ବାଣ୍ଟିବେ । କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଷଡ଼ଯନ୍ତ୍ରକୁ ମହାରାଷ୍ଟ୍ରରେ କଡ଼ା ଜବାବ ମିଳିଛି । ମହାରାଷ୍ଟ୍ର ଦମ୍ଭର ସହ କହୁଛି- ଏକ ହୈ, ତୋ ସେଫ ହୈ ।

ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଛନ୍ତି ଯେ କଂଗ୍ରେସ ମହାରାଷ୍ଟ୍ରରେ ଭୋଟ ପାଇବା ପାଇଁ ସାମୟିକ ଭାବେ ବୀର ସାଭରକରଙ୍କୁ ଗାଳି କରିବା ବନ୍ଦ କରିଥିଲା । କଂଗ୍ରେସ ଏବେ ଭାରତୀୟ ରାଜନୀତିରେ ପରଜୀବୀ ହୋଇଛି, ଯିଏ ନିଜ ସହଯୋଗୀଙ୍କ ଡଙ୍ଗାକୁ ବୁଡ଼ାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ରାଜ ପରିବାରର କ୍ଷମତାର ଭୋକ ଏତେ ଅଧିକ ହୋଇଛି ଯେ ସାମାଜିକ ନ୍ୟାୟର ଭାବନାକୁ ମାଟିରେ ମିଶାଇ ସାରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.