ବାରିପଦା ୧୬/୧୨: ସଂଧ୍ୟାରେ ପୁଅ ଭଲରେ କଥା ହୋଇଥିଲା । ସକାଳୁ ମିଳିଲା ଝୁଲନ୍ତା ମୃତଦେହ । ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକ । ହତ୍ୟା ନା ଆତ୍ମହତ୍ୟା ? ତାକୁ ନେଇ ବଢୁଛି ସନ୍ଦେହ । ବାରିପଦା ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ସ୍ଥିତ ମେସର ସିଡି ଘରୁ ଇଞ୍ଜିନିୟର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ବିଶୋଇ ବ୍ଲକ ବଡଜାମ୍ବିଲାର ଧର୍ମେନ୍ଦ୍ର ନାଏକଙ୍କ ବଡ ପୁଅ ବୁଦ୍ଧାଦିତ୍ୟ ନାଏକ ।
ସେ ବାରିପଦା ଲକ୍ଷ୍ମୀପୋଷି ସ୍ଥିତ ପ୍ରାଇଭେଟ ଇଞ୍ଜିନିୟରିଂ କଲେଜରେ ମେକାନିକାଲ ବିଭାଗ ଶେଷ ବର୍ଷର ଛାତ୍ର ଥିଲେ । ସାଙ୍ଗସାଥୀଙ୍କ କହିବା କଥା ରବିବାର ରାତିରେ ଫୋନରେ କାହା ସହ ଝଗଡା କରିଥିଲେ ବୁଦ୍ଧାଦିତ୍ୟ । ସମସ୍ତେ ଖାଇ ଶୋଇବାକୁ ଯାଇଥିଲେ । ସୋମବାର ସକାଳେ ବୁଦ୍ଧାଦିତ୍ୟଙ୍କ ଝୁଲନ୍ତା ମୃତଦେହ ସିଡି ଘରୁ ଝୁଲୁଥିବାର ଦେଖିଥିଲେ । ଘଟଣାର ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରେମଜନିତ କାରଣକୁ ସନ୍ଦେହ କରୁଛି ପୋଲିସ । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।