ନୂଆଦିଲ୍ଲୀ ୧୨।୦୨ : ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ମାମଲା । କଂଗ୍ରେସ ନେତା ସଜ୍ଜନ କୁମାର ଲାଗିଲା ଜୋରଦାର ଝଟ୍କା । ଏକ ହତ୍ୟା ମାମଲାରେ ଶୁଣାଣି କରି ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାପରେ ଆସନ୍ତା ୧୮ ତାରିଖ ଦିନରେ ସଜ୍ଜନ କୁମାର ସଜ୍ଜା ଉପରେ କୋର୍ଟରେ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।
୧୯୮୪ ମସିହା ନଭେମ୍ବର ୧ ତାରିଖ ଦିନ ଦିଲ୍ଲୀର ସରସ୍ୱତୀ ବିହାର ଅଞ୍ଚଳରେ ବାପା-ପୁଅଙ୍କୁ ହତ୍ୟା କରାଯାଇଥିଲା । ମୃତକ ଦୁଇ ବାପା-ପୁଅ ସିଖ୍ ଥିଲେ , ସେମାନଙ୍କ ନାମ ସରଦାର ଜୟଶ୍ୱନ୍ତ ସିଂହ ଏବଂ ସରଦାର ତରୁଦ ଦୀପ୍ ସିଂହ ।ବାପ-ପୁଅଙ୍କ ଏକ ଘର ଭିତରେ ଜିଅନ୍ତା ପୋଡି ମାରିଦେଇଥିଲେ ଆକ୍ରମଣକାରୀ ଦଳ। ଆଉ ଯାହାର ନେତୃତ୍ୱ ସଜ୍ଜନ କୁମାର ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପିରିକି ଘରେ ଭିତରେ ଭଙ୍ଗାରୁଜା କରିଥିବାର ତଥ୍ୟ ମଧ୍ୟ ଏସ୍ଆଇଟି ନିଜ ରିପୋର୍ଟରେ ସ୍ପଷ୍ଟ କରିଥିଲା ।
ବର୍ତ୍ତମାନ ସଜ୍ଜନ କୁମାର ଦିଲ୍ଲୀ କୋର୍ଟ ଅନ୍ୟ ଏକ ସିଖ୍ ବିରୋଧୀ ଦଙ୍ଗା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଛନ୍ତି । ବୁଧବାର ଦିନ କୋର୍ଟରେ ବାପ-ପୁଅ ହତ୍ୟା ମାମଲାର ଶୁଣାଣି ରହିଥିଲା । ସେଥିଲାଗି ତିହାର୍ ଜେଲ୍ରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ହାଜର ହୋଇଥିଲେ । ସେଠାରେ ମାମଲାର ଶୁଣାଣି କରି କୋର୍ଟ ସଜ୍ଜନ କୁମାରଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାବାଦ୍ ଆସନ୍ତା ୧୮ ତାରିଖ ଦିନ ସଜ୍ଜନ କୁମାରଙ୍କ ଦଣ୍ଡାଦେଶ ଉପରେ ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ନିଜ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଦେଇଥିଲେ । ଯାହାପରେ ଦେଶରେ ଶିଖ୍ ବିରୋଧୀ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ପୁରା ଦେଶରେ ସରକାରୀ ତଥ୍ୟ ଅନୁସାରେ ୩ ହଜାରରୁ ଅଧିକ ଶିଖ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ବେସରକାରୀ କିମ୍ବା ଅନ୍ୟ ସଂଗଠନମାନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ।