ଏଆଇ ସମିଟ୍‌ରେ ସାର୍ଟ ଖୋଲି ପ୍ରତିବାଦ କଲେ ଯୁବ କଂଗ୍ରେସ ନେତା, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲା ବିଜେପି

NEWS7
excise-superintendent-debi-prasad-mishra-suspended-for-for-dereliction-of-duty

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୁବ କଂଗ୍ରେସ ହଙ୍ଗାମା କରିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଯୁବ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି । ପୋଲିସ ସମସ୍ତ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା କରୁଛି। ଭାରତୀୟ ଯୁବ କଂଗ୍ରେସ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏବଂ ତାଙ୍କ ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇ ପୋଷ୍ଟ କରିଛି।

ଯୁବ କଂଗ୍ରେସ କହିଛି, ‘ଯେବେ ବିଦେଶ ନୀତିର ନୈତିକତା ନାହିଁ, କର୍ପୋରେଟ ଚାପ ଅଧ୍କ ପଡ଼ୁଛି ଏବଂ ସରକାର ନୀରବ ରହୁଛନ୍ତି, ଏଥିରୁ ସ୍ପଷ୍ଟ ପିଏମ ମୋଦୀ ସାଲିସ୍ କରିଛନ୍ତି । ସତ୍ୟ ଉଜାଗର କରିବାକୁ ଯୁବ କଂଗ୍ରେସ ଏଆଇ ସମିଟ୍ରେ ମୋଦୀଙ୍କ ବିରୋଧରେ ପ୍ରଦର୍ଶନ କରିଛି । ଦେଶର ଅସ୍ମିତା ସହିତ କୌଣସି ସାଲିସ କରାଯିବ ନାହିଁ । ଇନକିଲାବ ଜିନ୍ଦାବାଦ ।’

ଭାରତ ମଣ୍ଡପମରେ ପ୍ରତିବାଦ କରିବା ସମୟରେ ଚାରି ଜଣ ଯୁବ କଂଗ୍ରେସ କର୍ମୀ ସାର୍ଟ ଲେସ୍ ହୋଇଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ କୃଷ୍ଣ ହରି, ଭାରତୀୟ ଯୁବ କଂଗ୍ରେସ ବିହାର ରାଜ୍ୟ ସମ୍ପାଦକ କୁନ୍ଦନ ଯାଦବ, ଭାରତୀୟ ଯୁବ କଂଗ୍ରେସ ଉତ୍ତର ପ୍ରଦେଶ ରାଜ୍ୟ ଉପାଧ୍ୟକ୍ଷ ଅଜୟ କୁମାର ଏବଂ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଂଯୋଜକ ନରସିଂହ ଯାଦବ ବୋଲି ଚିହ୍ନଟ କରାଯାଇଛି।

ସେମାନେ ସମସ୍ତେ QR କୋଡ୍ ବ୍ୟବହାର କରି ସଭାସ୍ଥଳରେ ପ୍ରବେଶ କରିଥିଲେ। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ଯେତେବେଳେ ଭାରତ ଏକ ପ୍ରତିଷ୍ଠିତ ବିଶ୍ୱ ଏଆଇ ସମ୍ମିଳନୀ ଆୟୋଜନ କରୁଛି, କଂଗ୍ରେସ ଦଳ ଏହାକୁ ସମ୍ମାନ ଦେବା ପରିବର୍ତ୍ତେ ଏହାକୁ ବାଧା ଦେଉଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସମ୍ମିଳନୀ ସ୍ଥାନରେ ଏକ ଅର୍ଦ୍ଧନଗ୍ନ ପ୍ରତିବାଦ କରିଥିଲେ, ଯାହା ସ୍ପଷ୍ଟ ଭାବରେ ବିଶ୍ୱ ସ୍ତରରେ ଭାରତକୁ ଲଜ୍ଜିତ କରିବା ପାଇଁ ଏକ କାର୍ଯ୍ୟ ଥିଲା।’

ରାଜନୈତିକ ପ୍ରତିବାଦ ଏକ ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଭାରତର ପ୍ରତିଛବିକୁ କ୍ଷୁର୍ଣ୍ଣ କରିବା ନୁହେଁ ବୋଲି ସେ ଟ୍ବିଟ୍ କରି କହିଛନ୍ତି । ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ‘କଂଗ୍ରେସ ବିଶ୍ୱ ସମ୍ମୁଖରେ ଦେଶକୁ ଅପମାନିତ କରିଛି। ଏହି ଲୋକମାନେ ସହରୀ ନକ୍ସଲ ପରି ବ୍ୟବହାର କରୁଛନ୍ତି। ଭାରତର ଇତିହାସରେ ଏହା ପୂର୍ବରୁ କେବେ ଘଟିନାହିଁ। କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ପ୍ରମାଣ କରିଛନ୍ତି ଯେ, ସେମାନେ ଦେଶ ବିରୋଧରେ ଠିଆ ହୋଇଛନ୍ତି। ଏହା ଏକ ରାଷ୍ଟ୍ର ବିରୋଧୀ କାର୍ଯ୍ୟ। କଂଗ୍ରେସ ଦେଶର ବିକାଶକୁ ଘୃଣା କରେ।’