ରାଉରକେଲା ୩।୬: ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଥିବା ସୂଚନା । ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT । ରଘୁନାଥପାଲି ଥାନା ତାଙ୍କୁ ଅଟକ ରଖି SIT ପଚରାଉଚରା କରୁଥିଲା । ସେପଟେ ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍ ଡ୍ରାଇଭର ମଧ୍ୟ ଅଟକ ଥିବା ସୂଚନା ମିଳିଛି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଛି ସୁନ୍ଦରଗଡ଼ ପୋଲିସ ।
ଲୁଟ୍ ହୋଇଥିଲା ୪ ଟନ୍ ବିସ୍ଫୋରକ । ହେଲେ ଏବେ ସୁଦ୍ଧା ମିଳିଲାଣି ୧୩ ଟନ୍ରୁ ଅଧିକ । ରବିବାର ରାଉରକେଲାର ଏକ ପେଟ୍ରୋଲ ପମ୍ପରେ ଥିବା ୨ଟି ମିନିଟ୍ରକରୁ ୮ ଟନ୍ ବିସ୍ଫୋରକ ଜବତ ହେବା ପରେ ସୋମବାର ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲର ବିଭିନ୍ନ ସ୍ଥାନରେ ମାଟି ତଳୁ ଜବତ କରାଯାଇଛି ଅଢେଇ ଟନ୍ ବିସ୍ଫୋରକ । ସର୍ଚ୍ଚ ଅପରେସନ୍ ବେଳେ ଏହି ବିସ୍ଫୋରକ ସୁରକ୍ଷାକର୍ମୀ ଜବତ କରିଛନ୍ତି । ସରଣ୍ଡା ଜଙ୍ଗଲରେ ଏବେବି ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି । ସର୍ଚ୍ଚ ଅପରେସନରେ SOG , CRPF, DVF ବି ସାମିଲ ହୋଇଛନ୍ତି ।
ଗତ ୨୭ ତାରିଖରେ ସୁନ୍ଦରଗଡ଼ର ବାଙ୍କୋ ପଥର ଖଣିକୁ ୪ ଟନ୍ ବିସ୍ଫୋରକ ଯାଉଥିବା ବେଳେ ଏହାକୁ ଲୁଟ୍ କରିଥିଲେ ମାଓବାଦୀ । ଏହାପରେ ଜାରି ରହିଛି ସର୍ଚ୍ଚ ଅପରେସନ । ସେମଧ୍ୟରୁ ୩ ଟନ୍ ବିସ୍ଫୋରକ ଝାଡ଼ଖଣ୍ଡ ସୀମାରୁ ଉଦ୍ଧାର କରାଯାଇଥିଲା । ବାକି ୧ ଟନ୍ କେଉଁଠି ଅଛି ତାହାର ପତ୍ତା ମିଳିନାହିଁ । ସୋମବାର ସରଣ୍ଡା ଜଙ୍ଗଲରୁ ମିଳିଥିବା ଅଢେଇ ଟନ୍ ବିସ୍ଫୋରକ ସହ ଲୁଟ୍ ହୋଇଥିବା ବିସ୍ଫୋରକର କିଛି ସଂପର୍କ ରହିଛି କି ? ତାର ତଦନ୍ତ ଚାଲିଛି । ରାଉରକେଲାର ଏକ ପେଟ୍ରୋଲ ପମ୍ପ ନିକଟରୁ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଜବତ ହୋଇଥିଲା ।
You Can Read:
ପାରିବାରିକ କଳହ ନେଲା ଉଗ୍ରରୂପ, ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା