ପ୍ରବଳ ଗରମ ଯୋଗୁଁ କମିଲା ଡିଜେଲ ବିକ୍ରି, ଗତ ବର୍ଷ ତୁଳନାରେ ୩.୯ ପ୍ରତିଶତ ହ୍ରାସ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ପ୍ରବଳ ଗରମର ପ୍ରଭାବ । କମିଲା ଡିଜେଲ ବିକ୍ରି। ଚଳିତ ବର୍ଷ ଦେଶରେ ଅନେକ ଭାଗରେ ପ୍ରବଳ ଗରମ ଅନୁଭୂତ ହେଉଛି। ଫଳରେ ଲୋକଙ୍କ ଜୀବନଯାପନ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ଗରମ କାରଣରୁ ଲୋକେ ଯାତ୍ରା କରିବାରୁ ବିରତ ରହିଛନ୍ତି। ଫଳରେ ଜୁନ୍‌ରେ ଡିଜେଲ ଚାହିଦାରେ ହ୍ରାସ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନୀ ଅବଧିରେ ଇନ୍ଧନ ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତ ଥର ଏଥିରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। 

ରିପୋର୍ଟ ଅନୁଯାୟୀ, ଜୁନ୍‌ ୧ରୁ ୧୫ ମଧ୍ୟରେ ଡିଜେଲ ବିକ୍ରି, ଗତ ବର୍ଷର ସମାନ ଅବଧି ତୁଳନାରେ ୩.୯ ପ୍ରତିଶତ ହ୍ରାସ ହୋଇ ୩୯.୫ ଲକ୍ଷ ଟନ୍‌ ରହିଛି। ଯେତେବେଳେକି ଏପ୍ରିଲରେ ୨.୩ ପ୍ରତିଶତ ଏବଂ ମାର୍ଚ୍ଚରେ ୨.୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ସେହିଭଳି ମେ ମାସରେ ୧.୧ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଏହି ହ୍ରାସ ଏବେବି ଜାରି ରହିଛି। 

ଆହୁରି ମଧ୍ୟ ନିର୍ବାଚନ ପ୍ରଚାର ବ୍ୟତୀତ ଗରମରେ କାର୍‌ରେ ଏସିର ବ୍ୟବହାର ବଢ଼ିଥାଏ। ତେଣୁ ଅଧିକ ଇନ୍ଧନର ଆବଶ୍ୟକତା ବଢ଼ିବା ନେଇ ଅନୁମାନ କରାଯାଉଥିଲା। ମାତ୍ର ଏହି ଅନୁମାନ ମଧ୍ୟ ଓଲଟ ଦେଖିବାକୁ ମିଳିଥିଲା।  ସେହିଭଳି ଦେଶରେ ସମୁଦାୟ ଡିଜେଲ ବିକ୍ରିରେ ପରିବହନ କ୍ଷେତ୍ରର ଅଂଶ ୭୦ ପ୍ରତିଶତ। ଏହା ହାର୍ଭେଷ୍ଟର ଏବଂ ଟ୍ରାକ୍ଟର ସହ କୃଷି କ୍ଷେତ୍ରରେ ଉପଯୋଗ ହେଉଥିବା ପ୍ରମୁଖ ଇନ୍ଧନ। 

ବିମାନ ଇନ୍ଧନର ଚାହିଦା ଜୁନ୍ ୧ରୁ ଜୁନ୍‌ ୨୦୨୪ ମଧ୍ୟରେ ବାର୍ଷିକ ଆଧାରରେ ୨.୩ ପ୍ରତିଶତ ବଢ଼ି ୩୩୧,୦୦୦ ଟନ୍‌ ହୋଇଛି। ରୋଷେଇ ଗ୍ୟାସ ଏଲପିଜି ଚାହିଦା ଜୁନ୍‌ ୧ରୁ ୧୫ ସମୟରେ ବାର୍ଷିକ ଆଧାରରେ ୦.୧ ପ୍ରତିଶତ ବଢ଼ି ୧୨.୪ ଲକ୍ଷ ଟନ୍‌ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.