ବ୍ରହ୍ମପୁରରେ ସାଂଘାତିକ ଘଟଣା, ମୃତ ବ୍ୟକ୍ତିଙ୍କ ନାଁରେ ଜାମିନ ପାଇଛନ୍ତି ଶହେରୁ ଅଧିକ ଅଭିଯୁକ୍ତ

Published By : Prameya-News7 Bureau | December 31, 2024 IST

ବ୍ରହ୍ମପୁର: ମୃତ ବ୍ୟକ୍ତିଙ୍କ ନାଁରେ ଜାମିନ ପାଇଲେ ଅଭିଯୁକ୍ତ । ଜଣେ କି' ୨ ଜଣ ନୁହେଁ ଏକାଥରକେ ୧୦୦ରୁ ଅଧିକ ଅଭିଯୁକ୍ତ ମୁକୁଳିଛନ୍ତି । ତେବେ ଅଭିଯୋଗ ପରେ ଛାନ୍‌ଭିନ୍‌ କରି ସତ ସାମ୍‌ନାକୁ ଆଣିଛି ପୁଲିସ। ଘଟଣାରେ ୬ ଜଣ ନକଲି ଜାମିନଦାରଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଖବର ଆସିଛି ବ୍ରହ୍ମୁପରରୁ।

ସୂଚନା ଅନୁଯାୟୀ, ଆସିକା ନୂଆଗାଁର ସରୋଜିନୀ ବେହେରା । ୨ ବର୍ଷ ହେବ ସ୍ବାମୀ ଲଡୁ କିଶୋର ଆରପାରିକୁ ଗଲେଣି । ହେଲେ ଲଡୁ କିଶୋର ଜଣେ ଅଭିଯୁକ୍ତଙ୍କୁ ଜାମିନ କରିଥିବା ନେଇ ବାରମ୍ବାର କୋର୍ଟରୁ ସମନ ଆସିବା ପରେ ବିଚଳିତ ହୋଇ ପଡ଼ିଥିଲେ ସରୋଜିନୀ । ସ୍ବାମୀଙ୍କ ମୃତ୍ୟୁ ହୋଇସାରିଥିବାବେଳେ ସେ ଜାମିନଦାର କେମିତି ହେଲେ ବୋଲି ସରୋଜିନୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ୬ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । 


ଜଣେ ଆସିକାରୁ, ଜଣେ ଚିକିଟିରୁ ଏବଂ ୪ଜଣ ବ୍ରହ୍ମପୁରରୁ ଗିରଫ କରିଛି ପୁଲିସ । ଗୋଟିଏ ପଟ୍ଟାରେ ତିନି-ଚାରି ଜଣଙ୍କୁ ଜାମିନରେ ନିଆଯାଇଥିବା ଜଣାପଡ଼ିଛି । ଏହା ସହ ୧୩୭ଟି ନକଲି ପଟ୍ଟା, ରେଭେନ୍ୟୁ ଷ୍ଟାମ୍ପ ସହ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଛି ପୁଲିସ । 

ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତି ବାବୁଲା ନାୟକ କମ୍ପ୍ୟୁଟରରେ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଥିଲେ। ମୃତକଙ୍କ ପଟ୍ଟାକୁ ନକଲି କରି ଜାମିନ କରୁଥିଲେ। ଘଟଣାର ତଦନ୍ତ ଚାଲିଛି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ସେପଟେ ଆଇନଜୀବୀ କହିଛନ୍ତି ଏ ନୂଆ କଥା ନୁହେଁ । ବହୁ ବର୍ଷ ଧରି ଏମିତି ଚାଲି ଆସୁଛି। କେତେଜଣ ଏଭଳି କରୁଛନ୍ତି। ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏମିତି ହେଉଛି। 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.