କେନ୍ଦୁଝର ୩୧/୧୨: ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଖରା ଶୀତ ବର୍ଷା କାକରରେ ଭାଗ୍ୟକୁ ଆଦରି ପଲିଥିନ ତଳେ ପଡିରହିଛନ୍ତି ଏମାନେ । ଯନ୍ତ୍ରଣା ଭରା ଏ ଜୀବନ ଜିଇଁବା କେତେ ଯେ କଷ୍ଟ ତାହା କେବଳ ଏମାନଙ୍କୁ ଜଣା । ଏଠି ବର୍ଷା ସହ ଭିଜିବାକୁ ପଡେ । ଶୀତ ସହ ସଂଘର୍ଷ କରିବାକୁ ପଡେ । ଆଉ ଖରା ସହ ଲୁଚକାଳି ଖେଳିବାକୁ ହୁଏ ।
ଘର କଥା ପଚାରିଲେ ଥର ଥର ହୋଇଯାଉଛି କଣ୍ଠ । ଆଖିରେ ଲୁହ ବୋଲ ମାନୁନି । କାହିଁକି ନା ଗରିବ ମଳି ମୁଣ୍ଡିଆଙ୍କ ଦୁଃଖ ବୁଝିବାକୁ ଏଠି କେହି ନାହିଁ । ଆଉ କେତେ ଦିନ ବା ବଞ୍ଚିବି । ଆଉ କାହାକୁ ଅଭିଯୋଗ କରି ଲାଭ କଣ ? ସ୍ବାଧୀନତାର ଏତେ ବର୍ଷ ପରେ ବି ସରକାରଙ୍କ ଯୋଜନା ଅପହଞ୍ଚ ଥିବା ଏ ଗାଁ କେନ୍ଦୁଝରଗଡ ପୌରପାଳିକାର ୧ ନମ୍ବର ୱାର୍ଡର ସୁଲେଇଖମାର ସାହି ।
କେବଳ ବୁଧ କି ଗୋଲାପି ନୁହଁନ୍ତି ପଲିଥିନ ତଳେ ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ବିଧବା ମହିଳା ରୁବି ମୁଣ୍ଡା । ଭଙ୍ଗା ଦଦରା ଘର । କେଉଁଠି କାନ୍ଥ ନାହିଁ ତ ଆଉ କେଉଁଠି କବାଟ ନାହିଁ । କାହାର କେବଳ ଟିଣରେ ଗୋଟିଏ ପଟ ଛେକା ହୋଇଛି । ଉପରେ ଭଙ୍ଗା ଖପରକୁ ଭରସା ଜରିପାଲ । ଅବସ୍ଥା ଏତେ ଶୋଚନୀୟ ଯେ ବାହାରେ ଯାଉଥିବା ଲୋକେ ଘର ଭିତରେ କିଏ କଣ କରୁଛି ଜାଣିପାରିବେ । ୟେ ଦେଖିଲେ ଘର ବାହାରର ଅବସ୍ଥା । ଭିତରର ଅବସ୍ଥା ବି ଟିକେ ଦେଖି ଦିଅନ୍ତୁ । ହେଲେ ଉପାୟ ବା କଣ ଅଛି ଜୀବନ ବଞ୍ଚାଇବାକୁ ମୁଣ୍ଡ ଗୁଞ୍ଜିବାକୁ ତ ପଡିବ ।
ଖରାଦିନ ସିନା ଯାହା ଯେମିତି ଚଳିଯାଉଛି । ହାଡ ଭଙ୍ଗା ଶୀତ ଆଉ ଲଘୁଚାପ ବର୍ଷାରେ ହାଲତ ପୁରା ଖରାପ ହୋଇଯାଏ । ତା ସାଂଗକୁ ଏ ଅଞ୍ଚଳ ହାତୀ ପ୍ରବଣ ହୋଇଥିବାରୁ ହାତୀଙ୍କ ଆତଯାତ ଲାଗିରହେ । ଏମିତି ସ୍ଥିତିରେ ପର ପିଣ୍ଡାରେ ଆଶ୍ରୟ ନେବାକୁ ପଡିଥାଏ ।
ଲୋକଙ୍କ ସମସ୍ୟାକୁ ଦେଖିବା ପରେ ଏବେ ପ୍ରଶ୍ନ ଉଠୁଛି ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ କରୁଛନ୍ତି କଣ ? ଶୁଣନ୍ତୁ ତାଙ୍କ ଉତ୍ତର। ଯେତିକି ବେଫିକର ସେତିକି ଚିନ୍ତାଜନକ ।
ଭୂମିହୀନଙ୍କୁ ଘର ଦେବାକୁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ଯୋଜନା । ଦିନେ କି ମାସେ ନୁହେଁ ବର୍ଷ ବର୍ଷ ଧରି ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ଲୋକଙ୍କ ଭାଗ୍ୟ କେବେ ବଦଳୁଛି ତାକୁ ହିଁ ଅପେକ୍ଷା …