ନୂଆଦିଲ୍ଲୀ: ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ଶାରଦା ସିହ୍ନା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଆଉ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଛଠ ମହାପର୍ବର ଗୀତ ଗାଇ ପ୍ରସିଦ୍ଧ ହୋଇଥିବା ଶାରଦା ସିହ୍ନାଙ୍କ ପରଲୋକ ଛଠ ପୂଜାର ପ୍ରଥମ ପର୍ବ ଅର୍ଥାତ ନହାଏ-ଖାଏ ଦିନ ହୋଇଛି। ତେବେ ଶାରଦାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି। ଶାରଦାଙ୍କ ବିୟୋଗରେ ତାଙ୍କ ଫ୍ୟାନମାନେ ମର୍ମାହତ ହୋଇପଡ଼ିଛନ୍ତି। ପୂର୍ବରୁ ସୋମବାର ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନ ସିହ୍ନା ଫେସବୁକ୍ରେ ମାଆଙ୍କର ସ୍ବାସ୍ଥ୍ୟ ସୂଚନା ଦେବା ସହ ଭେଣ୍ଟିଲେଣ୍ଟରରେ ତାଙ୍କର ଚିକିତ୍ସା ଚାଲିଥିବା କହିଥିଲେ।
ସୂଚନାଯୋଗ୍ୟ, ଶାରଦା ସିହ୍ନା ଗତ କିଛି ଦିନରୁ ଏମ୍ସରେ ଭର୍ତ୍ତି ହୋଇଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କୁ ପ୍ରାଇଭେଟ ଓ୍ବାର୍ଡରୁ ଆଇସିୟୁକୁ ସିଫ୍ଟ ହୋଇଥିଲା। ଏହା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର ଖୁବ୍ କମି ଯିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଶାରଦା ସିହ୍ନାଙ୍କ ଅନେକ ଅଙ୍ଗ କାମ କରୁନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଉଲ୍ଲେଖଯୋଗ୍ୟ, ଗାୟିକା ଶାରଦା ସିହ୍ନାଙ୍କୁ ୨୦୧୮ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାରଦା ସିହ୍ନା ଛଠ୍ ପୂଜା ଉପରେ ଆଧାରିତ ‘ହୋ ଦୀନାନାଥ’ ଗୀତକୁ ଲୋକେ ବେଶ୍ ପ୍ରଶଂସା କରିଥିଲେ। ଶାରଦା ସିହ୍ନାଙ୍କ ଜନ୍ମ ୧୯୫୨ ଅକ୍ଟୋବର ୧ରେ ସୁପୋଲ ଜିଲ୍ଲାର ହୁଲସାରେ ହୋଇଥିଲା। ତାଙ୍କୁ ବିହାରର କୋକିଳା ବ୍ୟତୀତ ଭୋଜପୁରୀ କୋକିଳା, ଭିକାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଳି ବିଭୂତି ସହ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ଶାରଦା ସିହ୍ନା ଭୋଜପୁରୀ, ମଗହୀ ଏବଂ ମୈଥିଳୀ ଭାଷାରେ ବିବାହ ଏବଂ ଛଠ୍ ଗୀତ ଗାଇଛନ୍ତି । ଯାହା ଲୋକଙ୍କ ହୃଦୟକୁ ଜିତିବାରେ ସଫଳ ହୋଇଥିଲା।