କାଶ୍ମୀରରେ କିଛି ବଡ଼ କରିବାକୁ ISIS ଓ ଅଲକାଏଦାର ଯୋଜନା, ଭାରତକୁ ସତର୍କ କଲେ FATF

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୯: ଫାଇନାନସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ)ର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଭାରତରେ ଆତଙ୍କବାଦ ସଙ୍ଗଠନ ଆଇଏସଆଇଏସ୍ ଓ ଅଲକାଏଦା ସହିତ ଜଡିତ ଗୋଷ୍ଠୀଙ୍କ  ଟେରର ଫଣ୍ଡିଂକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ରିପୋର୍ଟ ଅନୁସାରେ ବିଶେଷ କରି ଜମ୍ମୁ ଓ କାଶ୍ମୀରରେ ଏହି ଆତଙ୍କୀ ଗୋଷ୍ଠୀ ସକ୍ରିୟ ଥିବା ଓ କିଛି ବଡ଼ ଧରଣର କରିବାକୁ ଯୋଜନା କରୁଥିବା ଆକଳନ କରାଯାଇଛି। 

ଆଇଏସଆଇଏସ ଓ ଅଲକାଏଦା ସମ୍ପର୍କିତ ସମୂହ ଜମ୍ମୁ-କାଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦ ଗତିବିଧି ଲାଗି ଫଣ୍ଡ ଉପଯୋଗ କରୁଥିବା ରିପୋର୍ଟରେ କୁହାଯାଇଛି। ଏଫଏଟିଏଫ ଏହା ବି ଉଲ୍ଲେଖ କରିଛନ୍ତି ଯେ ଭାରତକୁ ଅଲଗା ଅଲଗା ପ୍ରକାରର ଆତଙ୍କବାଦ ବିପଦର ସାମ୍ନା କରିବାକୁ ପଡୁଛି, ଯାହା ସ୍ଥାନୀୟ ଓ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ସହ ସମ୍ପର୍କିତ। ଭାରତରେ ମନି ଲଣ୍ଡ୍ରିଂର ମୁଖ୍ୟସ୍ରୋତ ଦେଶ ଭିତରେ ଅବୈଧ ଗତିବିଧିରୁ ସୃଷ୍ଟି ହେଉଛି। 

ଭାରତରେ ମନିଲଣ୍ଡ୍ରିଂ ଓ  ଟେରର ଫଣ୍ଡିଂ ମାମଲାରେ ବିଚାର ପ୍ରକ୍ରିୟାର ଜଟିଳତା ଏବଂ ବିଚାରାଧୀନ ମାମଲାର ସଂଖ୍ୟାରୁ ଦୋଷ ସାବ୍ୟସ୍ତ ହାର ଅପେକ୍ଷାକୃତ କମ୍। ଏଫଏଟିଏଫ ରିପୋର୍ଟରେ ଏହା ମଧ୍ୟ ମାନିଛନ୍ତି ଯେ ଭାରତରେ ମନିଲଣ୍ଡ୍ରିଂ ଓ ଟେରର ଫଣ୍ଡିଂର ମୁକାବିଲା ନିମନ୍ତେ ପ୍ରଭାବୀ ପ୍ରଣାଳୀ ରହିଛି, କିନ୍ତୁ ପ୍ରସିକ୍ୟୁସନ ଓ ନ୍ୟାୟିକ ପ୍ରକ୍ରିୟାରେ ସୁଧାରର ଆବଶ୍ୟକତା ରହିଛି। ଏନଜିଓଙ୍କୁ ଆତଙ୍କବାଦୀ ଗତିବିଧି ଦୂରୁପଯୋଗରୁ ଉନ୍ନତ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି। ଖାସ କରି ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କବାଦ ସମୂହ ଜେପରି ଆଇଏସଆଇଏସ ଓ ଅଲକାଏଦାର ବିପଦକୁ କମ କରିବା ଲାଗି ଭାରତକୁ ଟେରର ଫଣ୍ଡିଂ ସମ୍ପର୍କିତ ଆହ୍ୱାନର ମୁକାବିଲା ନିମନ୍ତେ ଆଇନ ପ୍ରକ୍ରିୟାକୁ ଆହୁରି ପ୍ରଭାବୀ କରିବାର ଆବଶ୍ୟକତା ଥିବା ଏହି ରିପୋର୍ଟରେ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.