ଜୈସ୍ୱାଲ-ରାହୁଲଙ୍କ ଯୋଡ଼ି ଅଷ୍ଟ୍ରେଲିଆରେ କଲେ ରେକର୍ଡ ବର୍ଷା, ୨୦ ବର୍ଷ ପରେ ୧୦୦+ ପାର୍ଟନରଶିପ୍

Published By : Prameya-News7 Bureau | November 23, 2024 IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ପର୍ଥରେ ଖେଳାଯାଉଛି । ମ୍ୟାଚ୍‌ର ପ୍ରଥମ ଦିନରେ ମୋଟ ୧୭ ୱିକେଟ୍ ପତନ ହୋଇଥିଲା । ଯାହା ଏକ ରେକର୍ଡ । ଦ୍ୱିତୀୟ ଦିନରେ ବି ଭାରତୀୟ ଟିମ୍ ନିଜ ଲୟ ବଜାୟ ରଖିଥିଲା ଏବଂ ଅଷ୍ଟ୍ରେଲିଆର ପ୍ରଥମ ପାଳକୁ ୧୦୪ ରନ୍‌ରେ ସୀମିତ କରିବାରେ ସକ୍ଷମ ହେଲା । ଦ୍ୱିତୀୟ ଇନିଂସରେ ଜୈସ୍ୱାଲ ଏବଂ କେଏଲ୍ ରାହୁଲ ଭାରତକୁ ଏକ ଦମଦାର ଆରମ୍ଭ ଦେଇଛନ୍ତି । ଜୈସ୍ୱାଲ ଏବଂ କେଏଲ୍ ରାହୁଲଙ୍କ ମଧ୍ୟରେ ପ୍ରଥମ ୱକେଟ୍ ପାଇଁ ୧୭୨ ରନ୍ ପାର୍ଟନରଶିପ୍ ହୋଇଛି । ଏହାସହ ଏହି ଯୋଡ଼ି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି ।

ଜୈସ୍ୱାଲ ଏବଂ କେଏଲ୍ ରାହୁଲଙ୍କ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୦୦ରୁ ଅଧିକ ରନ୍ ପାର୍ଟନରଶିପ୍ ହୋଇସାରିଛି । ୨୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ରାହୁଲ ଏବଂ ଜୈସ୍ୱାଲଙ୍କ ଓପନିଂ ଯୋଡ଼ି ଭାବେ ଶତକୀୟ ପାର୍ଟନରଶିପ୍ କରିବାରେ ସଫଳ ହୋଇଛନ୍ତି । ଏହା ପୂର୍ବରୁ ସିଡନୀରେ ବୀରେନ୍ଦ୍ର ସେହୱାଗ ଏବଂ ଆକାଶ ଚୋପଡ଼ାଙ୍କ ମଧ୍ୟରେ ୧୨୩ ରନ୍ ପାର୍ଟନରଶିପ୍ ହୋଇଥିଲା ।

ଅଷ୍ଟ୍ରେଲିଆରେ ଷଷ୍ଠ ଥର ପାଇଁ ଭାରତୀୟ ଓପନର୍ସଙ୍କ ମଧ୍ୟରେ ୧୦୦ ରନ୍‌ରୁ ଅଧିକ ପାର୍ଟନରଶିପ ହୋଇଛି । ବିଦେଶୀ ମାଟିରେ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଯଶସ୍ୱୀ ଜୈସ୍ୱାଲ ପ୍ରଥମ ପାଳିରେ ନିରାଶ କରିଥିଲେ । କିନ୍ତୁ ଦ୍ୱିତୀୟ ପାଳିରେ ୯୦ ରନ୍ କରି ଅପରାଜିତ ଅଛନ୍ତି । ଅନ୍ୟପଟେ କେଏଲ୍ ରାହୁଲ ଦ୍ୱିତୀୟ ଇନିଂସରେ ୭୪ ରନ୍ କରି ଅପରାଜିତ ଅଛନ୍ତି ।

ପଢନ୍ତୁ: ପର୍ଥ ଟେଷ୍ଟରେ ଡ୍ରାଇଭିଂ ସିଟ୍‌ରେ ଭାରତ, ଯଶସ୍ଵୀ-ରାହୁଲଙ୍କ ଆଗରେ କଙ୍ଗାରୁ ଫେଲ୍

ଏହା ପୂର୍ବରୁ ବୁମରା ପ୍ରଥମ ଇନିଂସରେ ୫ ୱିକେଟ୍ ନେଇ ଆଉ ଏକ ରେକର୍ଡ କରିଥିଲେ । ଟେଷ୍ଟ କ୍ୟାରିୟରରେ ୧୧ ଥର ପାଇଁ ସେ ଏପରି କରିବାରେ ସଫଳ ହୋଇଛନ୍ତି । ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ୧୦୪ ରନ୍‌ରେ ସୀମିତ କରିବାରେ ଭାରତ ସଫଳ ହୋଇଥିଲା । ପ୍ରଥମ ଇନିଂସର ୪୬ ରନ୍ ଲିଡ୍ ଆଧାରରେ ଅଷ୍ଟ୍ରେଲିଆଠାରୁ ଭାରତ ୨୭୨ ରନ୍ ଆଗରେ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.