ସମୁଦ୍ରକୁ ଯିବା ପାଇଁ ସଜ ହେଲେଣି ସାଗର ସୌଦାଗର, ଦୁଇ ମାସ ପରେ ପାଟିରେ ବାଜିବ ଲୁଣି ମାଛ

Published By : Prameya-News7 Bureau | June 16, 2024 IST

ଭୋଗରାଇ ୧୬।୬: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ହଟିଛି ସାମୁଦ୍ରିକ କଟକଣା । ସମୁଦ୍ରକୁ ଯିବାକୁ ଜାଲ, ନାବର ସଜବାଜ ଆରମ୍ଭ କଲେଣି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସମୁଦ୍ର କୁଳିଆ ଅଞ୍ଚଳବାସୀଙ୍କ ପାଟିରେ ବାଜିବ ଲୁଣିମାଛର ସ୍ୱାଦ । ସେଥିପାଇଁ ଭୋଗରାଇର ପ୍ରମୁଖ ମାଛଧରା କେନ୍ଦ୍ର ଉଦୟପୁର, ତାଳସାରୀ, କୀର୍ତ୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ହୋଇଉଠିଛି ଚଳଚଞ୍ଚଳ । ଜେଟି ନିକଟରେ ଥିବା ଡ଼ଙ୍ଗା, ଲଞ୍ଚକୁ ମରାମତି କରି ରଙ୍ଗ ଦେବା କାର୍ଯ୍ୟ ଶେଷ କରି ଦେଲେଣି । ସମୁଦ୍ରକୁ ଯିବାକୁ ସଜବାଜ ହେଲେଣି ସାଗର ସୌଦାଗର । 

ସରକାରଙ୍କ କଟକଣା ପାଇଁ ମାଛଧରା ବନ୍ଦ ମତ୍ସ୍ୟଜୀବୀଙ୍କୁ ବହୁ ଅସୁବିଧାରେ ପକାଇଥିଲା । ମାଛମାନଙ୍କ ପ୍ରଜନନ ଋତୁ ପାଇଁ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଦୁଇ ମାସ ସମୁଦ୍ରରେ ମାଛ ମାରିବା କଟକଣା ଲାଗିଥିଲା । ଏହି ସମୟରେ ମାଛମାନେ ଗଭୀର ଜଳରୁ ଆସି ଅଣ୍ଡା ଦେଇଥାନ୍ତି । ସେଥିପାଇଁ ଯନ୍ତ୍ରଚାଳିତ ଡ଼ଙ୍ଗା ଉପରେ ସରକାର ରୋକ୍ ଲଗାଇଥିଲେ । ରବିବାରଠୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବେ ।

ସେଥିପାଇଁ ଚଳଚଞ୍ଚଳ ଭୋଗରାଇର ଉଦୟପୁର, ତାଳସାରୀ କୀର୍ତ୍ତନିଆର ଜେଟି । ଲୁଣି ମାଛ ବିନା ମଧୁର ମାଛର ଆକାଶ ଛୁଆଁ ଦର କମିବା ନେଇ ଗ୍ରାହକ ବେଶ ଆଶାବାଦୀ । ଦୁଇ ହଜାରରୁ ଅଧିକ ମତ୍ସ୍ୟଜୀବୀ ଜୀବିକା ହରାଇ ଘରେ ବସିଥିଲେ । ସାତ ତାଳ ପାଣି, ପ୍ରତିକୂଳ ପାଗକୁ ସାମ୍ନାକରି ସାଗରର ସୌଦାଗର ମାଛର ମହାଜନ ସାଜିଥିଲେ ବି ବିଭିନ୍ନ ସମସ୍ୟାରେ କାଟୁଥିଲା ସେମାନଙ୍କ ଜୀବନ । କେବଳ ସେତିକି ନୁହେଁ ଭୋଗରାଇ ବ୍ୟତୀତ ଜଳେଶ୍ୱର, ବାଲିଆପାଳ, ବସ୍ତା ଅଞ୍ଚଳର ବହୁ ମତ୍ସ୍ୟଜୀବୀ ପରିବାର ଭୋଗରାଇକୁ ଆସି ମାଛ ଧରିଥାନ୍ତି ।

You Can Read :

ତାଣ୍ଡବ ରଚିଲା କାଳବୈଶାଖୀ : ଉଡିଲା ଛପର, ପଡିଲା କାନ୍ଥ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.