ଭୟାବହ ହେଲା ନେପାଳ ବନ୍ୟା, ୧୨୦ ମୃତ, ୬୦ ନିଖୋଜ

Published By : Prameya-News7 Bureau | September 29, 2024 IST

କାଠମାଣ୍ଡୁ ୨୯।୯: ନେପାଳରେ ବନ୍ୟା ଭୟଙ୍କର ରୂପ ଧାରଣ କରିଛି। ଏପର୍ଯ୍ୟନ୍ତ ସରକାରୀ ତଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ଲୋକେ ଘର ଛାତମାନଙ୍କରେ ଆଶ୍ରୟ ନେଇଛନ୍ତି। ପୋଲିସ ଜିପ୍ ଲାଇନ ବ୍ୟବହାର କରି ଲୋକଙ୍କୁ ଉଦ୍ଧାର ନିମନ୍ତେ ଅଭିଯାନ ଚଳାଇଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କଲେଣି। ଦୁଇଦିନ ଲାଗି ରହିଥିବା ବର୍ଷା ଯୋଗୁ ସ୍ଥାନେ ସ୍ଥାନେ ଭୂ-ସ୍ଖଳନ ହେଉଛି। ରାଜଧାନୀ କାଠମାଣ୍ଡୁର ଆଖପାଖ ଘାଟି ଜଳମଗ୍ନ ହୋଇଯାଇଛି। 

ରବିବାର ମଧ୍ୟ ୧୨ରୁ ଅଧିକ ଲୋକେ ନିଖୋଜ ଥିବାର ଜଣାପଡିଛି। ପାଣିରୁ ରକ୍ଷା ପାଇବା ପାଇଁ ଲୋକେ ଘରର ଛାତ ଉପରେ ଆଶ୍ରୟ ନେଇଛନ୍ତି। ହେଲିକପ୍ଟର ଓ ରାଫ୍ଟର ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଉଛି। ନେପାଳରେ ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ ବୋଲି ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଛନ୍ତି। ତଳି ଅଞ୍ଚଳମାନଙ୍କରେ ପାଣି ଭରିଯାଇଥିବା ବେଳେ ଗ୍ରାମାଞ୍ଚଳ ସହ ସମ୍ପର୍କ ବିଛିନ୍ନ ହୋଇଛି। 


ଭୀଷଣ ବର୍ଷା ଯୋଗୁ କାଠମାଣ୍ଡୁରେ ବାଗମତି ନଦୀ ଫୁଲିଛି। ଭକ୍ତପୁରରେ ଘର ଭୁଶୁଡି ପଡିବାରୁ ଏକ ୪ ବର୍ଷ ଶିଶୁ ଓ ଜଣେ ଗର୍ଭବତୀ ମହିଳା ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ଦକ୍ଷିଣ କାଠମାଣ୍ଡୁ ଘାଟିରେ ନଖୁ ନଦୀ ଜଳସ୍ତର ବଢିବା ଯୋଗୁ ୪ ଜଣ ଭାସି ଯାଇଛନ୍ତି। ଦକ୍ଷିଣ-ପଶ୍ଚିମ ମକବାନପୁରସ୍ଥିତ ଅଲ ନେପାଲ ଫୁଟବଲ ଆସୋସିଏସନର ପ୍ରଶିକ୍ଷଣ କେନ୍ଦ୍ରରେ ବଡ଼ଧରଣର ଦୁର୍ଘଟଣା ହୋଇଛି। ଏଠାରେ ଭୂ-ସ୍ଖଳନ ଯୋଗୁ ୬ ଜଣ ଫୁଟବଲ ଖେଳାଳି ପ୍ରାଣ ହରାଇଥିବା କୁହାଯାଉଛି। ପଶ୍ଚିମ ନେପାଳର ଧାଡିଂରେ କାଦୁଅରେ ପୋତି ହୋଇଯାଇଥିବା ବସରୁ ୨ଟି ଶବ ବାହାର କରାଯାଇଛି। ଏହି ବସରେ ଚାଳକଙ୍କ ସମେତ ୧୨ ଜଣ ଲୋକ ଥିଲେ। 


ସରକାରୀ ମୁଖପାତ୍ର ପୃଥ୍ୱୀ ସୁବା ଗୁରୁଙ୍ଗ ଭୀଷଣ ବନ୍ୟାରେ ଉଦ୍ଧାର ଓ ରିଲିଫ ପରିଚାଳନା ନିମନ୍ତେ ୧୦ ହଜାର ପୋଲିସ ଫୋର୍ସଙ୍କୁ ମୈଦାନକୁ ଛଡାଯାଇଥିବା କହିଛନ୍ତି। ଉଦ୍ଧାର ଅଭିଯାନରେ ସ୍ୱୟଂ ସେବକ ଓ ସେନାର ସହାୟତା ମଧ୍ୟ ନିଆଯାଇଛି। ଦେଶରେ ପାଗ ଖରାପ ଥିବାରୁ ସରକାର ଅଯଥା ଯାତ୍ରାରୁ ଲୋକଙ୍କୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ନିତ୍ୟାନ୍ତ ଆବଶ୍ୟକତା ନ ପଡିଲେ ଘରୁ ନ ବାହାରିବାକୁ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.