ନୂଆଦିଲ୍ଲୀ ୮।୧୨: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ପ୍ରବାହ ଏପ୍ରିଲ ୨୦୦୦ରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ୧ଲକ୍ଷ କୋଟି ଡଲାର ପାର କରିଯାଇଛି। ଫଳରେ ବୈଶ୍ୱିକ ସ୍ତରରେ ଭାରତକୁ ଏକ ସୁରକ୍ଷିତ ଓ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା ମିଳିଛି। ଡିପାର୍ଟମେଣ୍ଟ ଫର ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନ୍ୟାସନାଲ ଟ୍ରେଡ (ଡିପିଆଇଆଇଟି)ଙ୍କ ତଥ୍ୟ ମୁତାବକ ଏହି ଅବଧିରେ ଇକ୍ୱିଟି, ରିଇନଭେଷ୍ଟମେଣ୍ଟ ଇନକମ ଓ ଅନ୍ୟ ପୁଞ୍ଜି ସହିତ ଏଫଡିଆର ମୋଟ ରାଶି ୧.୦୩ଲକ୍ଷ କୋଟି ଡଲାରକୁ ପହଞ୍ଚିଛି।
ଏହାର ୨୫ ପ୍ରତିଶତ ଅର୍ଥାତ ୧୭୭.୧୮ ବିଲିୟନ ଡଲାରର ଏକ ଏଫଡିଆଇ ମରିସସ ମାର୍ଗରୁ ମଧ୍ୟ ଆସିଛି। ଭାରତରେ ସିଧା ବିଦେଶୀ ନିବେଶରେ ସିଙ୍ଗାପୁରର ସର୍ବାଧିକ ୨୪ ପ୍ରତିଶତ (୧୬୭.୪୭ ବିଲିୟନ ଡଲାର) ଯୋଗଦାନ ଥିବା ବେଳେ ଆମେରିକାର ୧୦ ପ୍ରତିଶତ (୬୭.୮ବିଲିୟନ ଡଲାର), ନେଦର ଲ୍ୟାଣ୍ଡର ୭ ପ୍ରତିଶତ, ଜାପାନର ୬ ପ୍ରତିଶତ, ବ୍ରିଟେନର ୫ ପ୍ରତିଶତ ଓ ୟୁଏଇର ୩ ପ୍ରତିଶତ ଯୋଗଦାନ ରହିଛି।
ଏପ୍ରିଲ ୨୦୦୦ମସିହାରୁ ସେପ୍ଟେମ୍ବର ୨୦୨୪ ମସିହା ମଧ୍ୟରେ ଭାରତକୁ ଆସିଥିବା ଅଧିକାଂଶ ଏଫଡିଆଇ ସେବା କ୍ଷେତ୍ର, କମ୍ପ୍ୟୁଟର ସଫ୍ଟୱେର, ହାର୍ଡୱେର, ଦୂରସଞ୍ଚାର, ବ୍ୟାପାର, ନିର୍ମାଣ ବିକାଶ, ଅଟୋମୋବାଇଲ, ରସାୟନ ଏବଂ ଔଷଧ କ୍ଷେତ୍ରକୁ ଆସିଛି। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟଙ୍କ ଅନୁସାରେ ୨୦୧୪ରୁ ୨୦୨୪ ମଧ୍ୟରେ ଭାରତ ମୋଟ ୬୬୭.୪ ବିଲିୟନ ଡଲାରର ଏଫଡିଆଇ ପ୍ରବାହକୁ ଆକର୍ଷିତ କରିଛି। ଏହା ପୂର୍ବ ଦଶନ୍ଧୀ ୨୦୦୪-୧୪ ତୁଳନାରେ ୧୧୯ ପ୍ରତିଶତ ଅଧିକ।