FPIଙ୍କ ୟୁ-ଟର୍ଣ୍ଣ, ଫେରିଲା ଭାରତୀୟ ସେୟାର ବଜାରର ଚମକ୍, ଜାଣନ୍ତୁ ଡିସେମ୍ବର ପ୍ରଥମ ସପ୍ତାହରେ ନିବେଶ କରିଛନ୍ତି କେତେ?

Published By : Prameya-News7 Bureau | December 08, 2024 IST

ମୁମ୍ବାଇ ୮।୧୨: ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ପୁଣି ଭାରତୀୟ ବଜାରକୁ ଫେରିଛନ୍ତି।  ଏଫପିଆଇ ଡିସେମ୍ବର ପ୍ରଥମ ସପ୍ତାହରେ ବିଭିନ୍ନ ସେୟାରରେ ୨୪,୪୫୪କୋଟି ଟଙ୍କାର ନିଟ୍ ନିବେଶ କରିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ବୈଶ୍ୱିକ ପରିସ୍ଥିତିରେ ସ୍ଥିରତା ଓ ଆମେରିକୀୟ ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ସମ୍ଭାବନା ଯୋଗୁ ଏପରି ହୋଇଛି। ଏହା ପୂର୍ବରୁ ଏଫପିଆଇ ନଭେମ୍ବର ମାସରେ ୨୧.୬୧୨ ଏବଂ ଅକ୍ଟୋବରରେ ୯୪,୦୧୭ କୋଟି ଟଙ୍କା ବାହାର କରି ନେଇଥିଲେ। 

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଏଫପିଆଇଙ୍କ କ୍ରୟ ୯ ମାସର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା ଓ ସେମାନେ ୫୭,୭୨୪ କୋଟି ଟଙ୍କାର ନିଟ୍ ନିବେଶ କରିଥିଲେ। ଡିପୋଜିଟରୀ ତଥ୍ୟରୁ ଜଣାପଡେ ଯେ ନୂଆ ନିବେଶ ସହିତ ୨୦୨୪ରେ ଏ ପର୍ଯ୍ୟନ୍ତ ଭାରତୀୟ ସେୟାର ବଜାରରେ ଏଫପିଆଇ ନିବେଶ ୯,୪୩୫ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ମର୍ଣ୍ଣିଂଷ୍ଟାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଇଣ୍ଡିଆଙ୍କ ଆସୋସିଏଟ ଡାଇରେକ୍ଟର ତଥା ମ୍ୟାନେଜର ରିସର୍ଚ୍ଚ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି ଯେ ଆଗାମୀ ମାସ ମାନଙ୍କରେ ଏଫପିଆଇଙ୍କ ମୁଡ ରାଷ୍ଟ୍ରପତି ରୂପେ ଡୋନାଲ୍ଡ ଟ୍ରମ୍ପଙ୍କ ନୀତି, ମୁଦ୍ରାସ୍ପିତି, ସୁଧହାର ଓ ଭୂ-ରାଜନୈତିକ ଲ୍ୟାଣ୍ଡସ୍କେପ ଅନୁସାରେ ସ୍ଥିର ହେବ। 

ଶ୍ରୀବାସ୍ତବ କହିଛନ୍ତି ଯେ ନିକଟରେ ବଜାରରେ ଆସିଥିବା ସଂଶୋଧନ ଏଫପିଆଇଙ୍କୁ କିଛି ନିବେଶ ବଢାଇବାକୁ ପ୍ରେରିତ କରିଥାଇପାରେ। ଏହା ଛଡା ଚୀନ ଓ ଅନ୍ୟ କେତେକ ଦେଶଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଟାରିଫ ଯୋଗୁ ଚାଇନା ଇକ୍ୱିଟରେ ଅନିଶ୍ଚିତତା କାରଣରୁ ଏଫପିଆଇ ଭାରତ ମୁହାଁ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.