କଟକ: କଟକରେ ଆଜି ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ସମୟରେ ପାଲେଷ୍ଟାଇନ ପତାକା ଉଡିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ। ସେ କହିଛନ୍ତି, କଟକ ହେଉଛି ଭାଇଚାରାର ସହର । ଏଠାରେ ଏଭଳି କାର୍ଯ୍ୟ ନିନ୍ଦନୀୟ ଓ ଏହାକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାରେ ଆଇନ ତା ବାଟରେ ଯିବ ଓ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିରଦୋସ।
ଅନ୍ୟପଟେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଆମ ଦେଶରେ ପାଲେଷ୍ଟାଇନ ପତାକା ଉଡାଇବାରେ କୌଣସି ଆପତ୍ତି ନାହିଁ।ଆମେ ଜାତିସଂଘରେ ପାଲେଷ୍ଟାଇନ ସପକ୍ଷରେ ଭୋଟ ଦେଇ ଆସିଛୁ। ପାଲେଷ୍ଟାଇନର ପୂର୍ବତନ ରାଷ୍ଟ୍ରପତି ୟାସିର ଆରାଫତ ଭାରତର ଜଣେ ବନ୍ଧୁ ଥିଲେ। ପାଲେଷ୍ଟାଇନ ଆଜି ବହୁତ ଅସୁବିଧା ରେ ଅଛି। ଭାରତ ପାଲେଷ୍ଟାଇନକୁ ସବୁବେଳେ ସହଯୋଗ କରି ଆସିଛି।
ସୂଚନାଯୋଗ୍ୟ, କଟକରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍ ଏ ମିଲାଦୁନ ନବୀ ପାଳନ କରାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଯେଉଁଥିରେ ‘ଫ୍ରି ପାଲେଷ୍ଟାଇନ୍ର ପ୍ଲାକାର୍ଡ ଏବଂ ପତାକା ଉଡୁଥିବାର ଦେଖିବାକୁ ମିଳିଛି ।
ମହମ୍ମଦଙ୍କ ଜୟନ୍ତୀ ଅବସରରେ କଟକର ବିଭିନ୍ନ କମିଟି ତରଫରୁ ଵଡ ଵଡ ଶୋଭାଯାତ୍ରା ଵାହାର କରି ସହର ପରିକ୍ରମା କରିବାର ପରମ୍ପରା ରହିଛି। ସୋମବାର ସହରର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଏହିଭଳି ଶୋଭାଯାତ୍ରା ଵାହାର କରାଯାଇ ସହର ପରିକ୍ରମା ସମୟରେ ଭାରତର ଜାତୀୟ ପତାକା ସହ ଦେଖିବାକୁ ମିଳିଥିଲା ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା। ଏହାସହ ଶୋଭାଯାତ୍ରାରେ ଯାଉଥିଵା ଶ୍ରଦ୍ଧାଳୁଙ୍କ ହାତରେ 'ଫ୍ରି ପାଲେଷ୍ଟାଇନ ' ଓ 'ପ୍ରେ ଫର୍ ପାଲେଷ୍ଟାଇନ ' ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଆଦି ଦେଖିବାକୁ ମିଳିଥିଲା।