ନିର୍ବାଚନୀ ଇନିଂସ୍ ଖେଳିବେ ପ୍ରିୟଙ୍କା ଗାନ୍ଧି; ଓ୍ବାୟନାଡରୁ ଲଢ଼ିବେ ଗାନ୍ଧି-ନେହେରୁ ପରିବାରର ଦଶମ ସଦସ୍ୟ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେରଳର ଓ୍ବାୟନାଡ୍ ଲୋକସଭା ଆସନ ଛାଡ଼ିବାକୁ ଘୋଷଣା କରିଛନ୍ତି । ତେବେ ଏହି ଆସନରୁ ପ୍ରିୟଙ୍କା ଗାନ୍ଧି ରାଜନୀତିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ୟୁପି କଂଗ୍ରେସ ମହାସଚିବ । ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଏଣ୍ଟ୍ରି କରିବାର ଗାନ୍ଧି ପରିବାର ଚତୁର୍ଥ ମହିଳା ଏବଂ ଦଶମ ସଦସ୍ୟ । ଦକ୍ଷିଣ ଭାରତରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରିୟଙ୍କା ଗାନ୍ଧି ଓ୍ବାୟନାଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ସହିତ ବିଜେପି ଟାର୍ଗେଟ୍ କରିଛି । କଂଗ୍ରେସ ଏକ ରାଜନୈତିକ ପାର୍ଟି ନୁହେଁ ବରଂ ଏକ ପାରିବାରବାଦ କମ୍ପାନୀ ବୋଲି କହିଛନ୍ତି ବିଜେପି ନେତା ।

ପଣ୍ଡିତ ଜବାହାର ଲାଲ୍ ନେହେରୁ; ଦେଶ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ୍ ନେହରୁଙ୍କ ବାପା ମଧ୍ୟ ରାଜନୀତିରେ ଥିଲେ । ମାତ୍ର ଭାରତ ସ୍ବାଧୀନତା ପାଇବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରହିଛନ୍ତି । ୧୯୧୨ ବେଳକୁ ପଣ୍ଡିତ୍ ନେହେରୁ ରାଜନୀତିରେ ସକ୍ରିୟ ହୋଇଯାଇଥିଲେ । ୧୯୪୭ରୁ ନେଇ ଆସନ୍ତା ୧୬ ବର୍ଷ ପର୍ଯ୍ୟନ୍ତ ସେ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । 

ଇନ୍ଦିରା ଗାନ୍ଧି: ଜବାହାର ଲାଲ୍ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧି କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟସମିତିର ସଦସ୍ୟ ଭାବେ ରାଜନୀତି ଆରମ୍ଭ କରିଥିଲେ । ମାତ୍ର ସେ ନିର୍ବାଚନ ରାଜନୀତିରେ ୧୯୬୭ରେ ପ୍ରବେଶ କରିଥିଲେ । ୟୁପିର ରାୟବରେଲି ଆସନରୁ ନିର୍ବାଚନ ଲଢ଼ିଥିଲେ ।   ୧୯୬୬-୭୭ ଏବଂ ୧୯୮୦-୮୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ।

ଫିରୋଜ୍ ଗାନ୍ଧି: ଇନ୍ଦିରା ଗାନ୍ଧିଙ୍କ ସ୍ବାମୀ ଫିରୋଜ୍ ଗାନ୍ଧି ସ୍ବାଧୀନତା ଆନ୍ଦୋଳନରେ ଯୋଡ଼ି ହୋଇଥିଲେ ଏବଂ ଦେଶର ପ୍ରଥମ ନିର୍ବାଚନ, କଂଗ୍ରେସ ଟିକେଟରେ ପ୍ରତାପଗଡ଼-ରାୟବରେଲି ଆସନରୁ ଲଢ଼ିଥିଲେ । 

ସଞ୍ଜୟ ଗାନ୍ଧି: ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ସଞ୍ଜୟ ଗାନ୍ଧି ଯୁବକ ଅବସ୍ଥାରୁ ରାଜନୀତିରେ ସକ୍ରିୟ ଥିଲେ । ସେ ଦେଶରେ ଜରୁରୀକାଳ ଲାଗୁ ହେବା ପରେ ୟୁପିର ଆମେଠି ଆସନରୁ ନିର୍ବାଚନ ଲଢ଼ିଥିଲେ । ହେଲେ ଏହି ଆସନରୁ ସେ ପରାଜୟ ବରଣ କରିଥିଲେ । ଏହା ପରେ ସେ 1980ରେ ପୁଣି ଥରେ ଆମେଠିରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ । 

ମେନକା ଗାନ୍ଧି; ମେନକା ଗାନ୍ଧି ୧୯୭୪ରେ ସଞ୍ଜୟ ଗାନ୍ଧିଙ୍କୁ ବିବାହ କରିଥିଲେ । ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧି ଓ ମେନକା ଗାନ୍ଧି ମଧ୍ୟରେ ସମ୍ପର୍କ ଠିକ୍ ରହିନଥିଲା । ପରେ  ମେନକା ଗାନ୍ଧି ଘର ଛାଡ଼ି ଦେଇଥିଲେ ଏବଂ କଂଗ୍ରେସରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ ।  ମେନକା ଗାନ୍ଧି ସଞ୍ଜୟ ଗାନ୍ଧିଙ୍କ ନାଁ ନୂଆ ରାଜନୈତିକ ପାର୍ଟି ଆରମ୍ଭ କରି ନିର୍ବାଚନ ଲଢ଼ିଥିଲେ । ହେଲେ ପରାଜୟ ପରେ ଜନତା ଦଳରେ ସାମିଲ୍ ହୋଇଥିଲେ । ସେ ପିଲିଭିତ୍ ଆସନରୁ ଦୁଇ ଥର ସାଂସଦ ।   

ରାଜୀବ ଗାନ୍ଧି: ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ୧୯୮୧ରେ ଆମେଠି ଉପ-ନିର୍ବାଚନରେ ରାଜୀବ ଗାନ୍ଧି ବିଜୟୀ ହୋଇଥିଲେ । ୧୯୮୪ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ  ହୋଇଥିଲେ । ଏହା ସହିତ ସେ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ୧୯୮୪  ନିର୍ବାଚନରେ ରାଜୀବ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ପ୍ରଚଣ୍ଡ ବହୁମତ ହାସଲ କରିଥିଲା । ତତ୍କାଳୀନ ୫୧୪ ଲୋକସଭା ଆସନରୁ ୪୦୪ ଆସନରେ ବିଜୟ ମିଳିଥିଲା । ୧୯୯୧ ନିର୍ବଚନୀ ପ୍ରଚାର ବେଳେ ରାଜୀବ ଗାନ୍ଧିଙ୍କ ହତ୍ୟା ହୋଇଥିଲା । 

ସୋନିଆ ଗାନ୍ଧି: ରାଜୀବ ଗାନ୍ଧି ୯୧୬୮ରେ ସୋନିଆ ଗାନ୍ଧିଙ୍କୁ ବିବାହ କରିଥିଲେ । ୧୯୮୩ରେ ସୋନିଆଙ୍କୁ ଭାରତୀୟ ନାଗରିକତା ମିଳିଥିଲା । ୧୯୯୭ରେ ସେ ପ୍ରଥମ ଥର ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟ ହୋଇଥିଲେ  । ସୋନିଆ ଗାନ୍ଧି ୧୯୯୯ରେ ପ୍ରଥମ ଥର ପାଇଁ ଆମେଠି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୦୪ରୁ ୨୦୧୪ ଯାଏ ୧୦ ବର୍ଷ ସୋନିଆଙ୍କ ନେତୃତ୍ବରେ କଂଗ୍ରେସ ଶାସନ କ୍ଷମତା ରହିଥିଲା । 

ରାହୁଲ ଗାନ୍ଧି: ରାଜୀବ ଗାନ୍ଧି ତଥା ସୋନିଆ ଗାନ୍ଧିଙ୍କ ଏକ ମାତ୍ର ପୁତ୍ର ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ୨୦୦୪ରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ଏହା ପରେ ଲଗାତାର ତୃତୀୟ ଥର ପାଇଁ ଆମେଠିରୁ ଲୋକସଭା ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ତାଙ୍କୁ ହାର୍ ସାମ୍ନା କରିବାକୁ ପଡ଼ିଥିଲା । ହେଲେ ଦ୍ବିତୀୟ ଆସନ କେରଳର ଓ୍ବାୟନାଡରୁ ବିଜୟୀ ହୋଇଥିଲେ । ୨୦୨୪ରେ ସେ ଓ୍ବାୟନାଡ ସହିତ ରାୟବରେଲୀରୁ ନିର୍ବାଚନ ଲଢ଼ି ଦୁଇଟି ଆସନରେ ବିଜୟୀ ହୋଇଛନ୍ତି । 

ବରୁଣ ଗାନ୍ଧି: ବରୁଣ ଗନ୍ଧିଙ୍କ ରାଜନୈତିକ କ୍ୟାରିୟର ୨୦୦୪ରୁ ଆରମ୍ଭ ହୋଇଥିଲା । ସେ ବିଜେପିର ସଦସ୍ୟତା ସହିତ ରାଷ୍ଟ୍ରୀୟ ମହାସଚିବ ବନିଯାଇଥିଲେ । ମାତ୍ର ୨୯ ବର୍ଷ ବୟସରୁ ପିଲିଭିତ୍ ଆସନରୁ ନିର୍ବାଚନ ଲଢ଼ି ଲୋକସଭା ଯାଇଥିଲେ ।  

ପ୍ରିୟଙ୍କା ଗାନ୍ଧି: ବରୁଣ ଗାନ୍ଧିଙ୍କ ପରେ ଗାନ୍ଧି-ନେହେରୁ ପରିବାରର ପ୍ରିୟଙ୍କା ଗାନ୍ଧି ଦଶମ ସଦସ୍ୟ ଏବଂ ଚତୁର୍ଥ ମହିଳା ଯିଏ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଭାଇ ରାହୁଲ ଗାନ୍ଧି ଓ୍ବାୟନାଡ୍ ଲୋକସଭା ଆସନ ଛାଡ଼ିବା ନେଇ ଘୋଷଣା କରିବା ପରେ ଏହି ଆସନରୁ ସେ ଉପ-ନିର୍ବାଚନ ଲଢ଼ିବା ନେଇ କଂଗ୍ରେସ ପକ୍ଷରୁ ଘୋଷଣା ହୋଇଛି । ଓ୍ବାୟନାଡରୁ ପ୍ରିୟଙ୍କା ଗାନ୍ଧି ରାଜନୀତି ନିର୍ବାଚନ ଇନିଂସ ଆରମ୍ଭ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.