ନୂଆଦିଲ୍ଲୀ: ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧ ଆସିଥିବା ଲାଞ୍ଚ ମାମଲା ଥମିବାର ନାଁ ଧରୁନି । ଏବେ ଆମେରିକା ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନଙ୍କ ପକ୍ଷରୁ ଦାଦା-ପୁତୁରାଙ୍କୁ ନୋଟିସ୍ ଜାରି ହୋଇଛି । ଆମେରିକା ସେୟାର ବଜାର ନିୟାମକ ଉଭୟଙ୍କୁ ନୋଟିସ୍ ଜାରି କରି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଛି । ଗୌତମ ଆଦାନୀ ଏବଂ ସାଗର ଆଦାନୀଙ୍କ ସମେତ ୭ ଜଣଙ୍କ ବିରୋଧରେ ସୋଲାର ଏନର୍ଜି କନଟ୍ରାକ୍ଟ ହାସଲ ପାଇଁ ୨୨୦୦ କୋଟି ଟଙ୍କା ଲାଞ୍ଚ ଦେବା ଅଭିଯୋଗ ରହିଛି । ଆମେରିକାର ବଜାର ନିୟାମକ ନୋଟିସ୍ ପଠାଇ ୨୧ ଦିନ ଭିତରେ ଜବାବ ଦେବା ପାଇଁ କହିଛି ।
ନ୍ୟୁୟର୍କ ଇଷ୍ଟ ଡିଷ୍ଟ୍ରିକ୍ଟ କୋର୍ଟର ଥ୍ରୁ ନଭେମ୍ୱର ୨୧ରେ ଗୌତମ ଆଦାନୀ ଏବଂ ସାଗର ଆଦାନୀଙ୍କୁ ନୋଟିସ ପଠାଇଥିଲା । ସୂଚନା ଅନୁସାରେ ଉଭୟଙ୍କୁ ୨୧ ଦିନର ମହଲତ ଦିଆଯାଇଛି । ସମନରେ କୁହାଯାଇଛି ଯେ ନୋଟିସ ମିଳିବା ଦିନକୁ ଛାଡ଼ି ୨୧ ଦିନ ଭିତରେ କମିଶନଙ୍କୁ ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ । ଦିଅଯାଇଥିବା ସମୟ ଭିତରେ ଯଦି ଜବାବ ଦିଆନଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମନରେ କୁହାଯାଇଛି ।
ଆମେରିକାର ଜଣେ ଓକିଲ ଗୌତମ ଆଦାନୀ, ସାଗର ଆଦାନୀଙ୍କ ସମେତ ମୋଟ ୭ ଜଣଙ୍କ ବିରୋଧରେ ଲାଞ୍ଚ ଏବଂ ଆମେରିକୀୟ ନିବେଶକଙ୍କ ସହ ଧୋକା କରିଥିବା ଅଭିଯୋଗ ଆଣିଥିଲେ । ଆମେରିକା କୋର୍ଟ ଏହି ମାମଲାରେ ମୋକଦ୍ଦମା କରିବା ସହ ୱାରେଣ୍ଟ ଜାରି କରିଛି । ଆଇନଜୀବୀଙ୍କ ଅନୁସାରେ ଆଦାନୀ ଏବଂ ତାଙ୍କ ଆମେରିକୀୟ ସହଯୋଗୀ ସୋଲାର ଏନର୍ଜି କନଟ୍ରାକ୍ଟ ପାଇବା ପାଇଁ ୨୦୨୦-୨୪ ମଧ୍ୟରେ ଭାରତୀୟ ଅଧିକାରୀଙ୍କୁ ୨୨୦୦ କୋଟି ଟଙ୍କା ଲାଞ୍ଚ ଦେବା ପାଇଁ ସହମତି ଦେଇଛନ୍ତି । ଅନ୍ୟପଟେ ଆଦାନୀ ଗ୍ରୁପ ସମସ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛି । ଆଦାନୀ ଗ୍ରୁପର ସିଏଫଓ ଜୁଗେସିନ୍ଦର ସିଂହ କହିଛନ୍ତି ଯେ ଆଦାନୀ ସମୂହର କୌଣସି କମ୍ପାନି ଉପରେ ସିଧାସଳଖ ଭାବେ କୌଣସି ଅଭିଯୋଗ ନାହିଁ ।