୮୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଜବତ, ଜଣେ ଗିରଫ

Published By : Prameya-News7 Bureau | December 10, 2024 IST

ସୋର ୧୦।୧୨: ବେଙ୍ଗାଲୁରୁରୁ କରିଥିଲେ ଚୋରି ଖଇରାରୁ ହେଲେ ଗିରଫ ।  ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହୀରା ଓ ସୁନା ଅଳଙ୍କାର ଜବତ ହୋଇଛି । ବେଙ୍ଗାଲୁରୁରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି କରି ଖଇରା ବଜାରରେ ବିକ୍ରି କରିବା ସମୟରେ ଖଇରା ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । ତେବେ ଗିରଫ ଅଭିଯୁକ୍ତ ଜଣକ ସାରକୋଣା ଗ୍ରାମର ବନମାଳୀ ସ୍ଵାଇଁ । ଅଭିଯୁକ୍ତ ନିକଟରେ ଥିବା ଚୋରି ଅଳଙ୍କାର ହୀରା ମୁଦି, ସୁନା ଏବଂ ହୀରା ଖଚିତ ବ୍ରେସଲେଟ୍ ସମେତ ଦୁଇଟି ସୁନା ଚେନ୍, ଗୋଟେ ସୁନା ମୁଦି, ଗୋଟେ ସୁନା ଲକେଟ୍, ୫ଟି ସୁନା କାନଫୁଲ ଓ ଗୋଟେ ସୁନା ନୋଥ ଜବତ କରିବାରେ ସଫଳ ହୋଇଛି ପୋଲିସ ।

ଗତ କିଛିଦିନ ତଳେ ଖଇରା ବଜାରରେ ଥିବା ରୁଦ୍ରକାନ୍ତ ଜୁଏଲାରୀକୁ ବନମାଳୀ ଚୋରି ଅଳଙ୍କାର ବିକ୍ରି କରିବାକୁ ଯାଇଥିଲା । ତେବେ ତା ନିକଟରେ ଏପରି ଦାମୀ ଅଳଙ୍କାର ଦେଖି ଦୋକାନୀ ମାଲିକ ମମତା ସାହୁଙ୍କ ସନ୍ଦେହ ହୋଇଥିଲା । ଏନେଇ ସେ ବନମାଳୀକୁ ତାର ପରିଚୟ ସହ କେଉଁଠାରୁ ସେ ଏ ଜିନିଷ ସବୁ ଆଣିଛି ପଚାରିବାରୁ ବନମାଳୀ ସେଠାରୁ ଦୌଡି ପଳାଇଥିଲା । ଏନେଇ ଦୋକାନୀ ଜଣକ ଖଇରା ପୋଲିସକୁ ବନମାଳୀ ଦାବଦରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରିଣୀ ମୌସୁମୀ ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଆଧାର କରି ସୋମବାର ବିଳମ୍ବିତ ରାତିରେ ବନମାଳୀକୁ ତା ଘରୁ ଗିରଫ କରିଥିଲା ପୋଲିସ । ଗିରଫ ପରେ ପଚରା ଉଚରା କରିବାରୁ ସେ ସମସ୍ତ ସତ୍ୟ ବଖାଣିଥିଲା । ବେଙ୍ଗାଲୁରୁରେ ସେ ପଦ୍ମା ରେଡ୍ଡୀ ନାମକ ଜଣେ ମହିଳାଙ୍କ ଘରେ କାମ କରୁଥିବା ବେଳେ ତାଙ୍କ ଘରୁ ସମସ୍ତ ଅଳଙ୍କାର ଚୋରି କରିଥିବା ପୋଲିସ ନିକଟରେ ପ୍ରକାଶ କରିଥିଲା ।

You Can Read:

କଲବଲ କରୁଛନ୍ତି କଟକି ମଶା, ମଶାରୀ ଟାଙ୍ଗୀ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.