ଭୁବନେଶ୍ୱର ୧୩।୦୨ : ବିଧାନସଭା ବଜେଟ୍ ଅଧିବେଶନ । କାର୍ଯ୍ୟଦିବସର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି । ଯେଉଁଥିରେ ଓଡିଶାର ବିକାଶର ନୂଆ ଝଲକ୍ ଦେଖିବାକୁ ମିଳିଛି । ଏହାସହିତ ବିଭିନ୍ନ ଯୋଜନା ସଂପର୍କରେ ଜଣାଇଛନ୍ତି ରାଜ୍ୟପାଳ ଡ. କେ ହରିବାବୁ କମ୍ଭମ୍ପତି।
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଲେ ରାଜ୍ୟପାଳ । ପରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ । ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଯେ, ନିଜର ଐତିହ୍ୟ ଓ କୀର୍ତ୍ତିରାଜ ପାଇଁ ଓଡିଶା ବେଶ୍ ପରିଚିତ । ଓଡିଶାରେ ଖଣିଜ ସଂପଦ ଭରପୂର ରହିଛି । ମୋ ସରକାର ସର୍ବଦା କୃଷି ଓ କୃଷକଙ୍କ ଉନ୍ନତି ଦିଗରେ କାମ କରିଆସୁଛନ୍ତି । ଏଦିଗରେ ଧାନର ଏମ୍ଏସ୍ପି ୮୦୦ ଟଙ୍କା ବଢାଇଛନ୍ତି । ବର୍ତ୍ତମାନ ଯାଏଁ ୧ .୩୬ ଲକ୍ଷ ପଞ୍ଜିକୃତି କୃଷକଙ୍କ ପାଇଁ ଚାଷବୀମାର ବ୍ୟବସ୍ଥା ହୋଇଛି। ଯାହାକି ଚାଷୀଙ୍କୁ ବଡ଼ ସହାୟତା ହେବ । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହୋଇଛନ୍ତି। ଭିଜନ ୨୦୩୬ ପାଇଁ ୩ ଲକ୍ଷରୁ ଅଧିକ ପରାମର୍ଶ ଆସିଛି। ୪୬ ଲକ୍ଷ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ୨୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଓଡିଆ ଅସ୍ମିତାର ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର। ବିଗତ ଦିନରେ ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡିଶା, ପ୍ରବାସୀ ଭାରତୀ ଦିବସ ସଫଳତାର ସହ ଆୟୋଜନ କରିଛୁ। ମୋ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି ।
ସେହିପରି ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶା ପ୍ରମୁଖ ଭୂମିକା ରହିବ । ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି । ୨୦୨୪-୨୫ରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏଥିପାଇଁ ତାଲିବ ଦିଆଯିବ। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୪୦୦ ଇ-ବସ୍ ଚାଲିବ।