କେବଳ ୪ଟି ସର୍ତ୍ତରେ ହଟାଯାଇ ପାରିବ ଲାଇଫ ସପୋର୍ଟ ସିଷ୍ଟମ, ଡାକ୍ତରଙ୍କ ଲାଗି ସ୍ୱାସ୍ଥ୍ୟବିଭାଗ ଜାରି କରିବେ ନୂଆ ଗାଇଡଲାଇନ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୯:   କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷ୍କ୍ରିୟ ଇଛା ମୃତ୍ୟୁ ଅର୍ଥାତ ଅସାଧ୍ୟ ରୂପେ ବେମାର ରୋଗୀଙ୍କ ଜୀବନ ରକ୍ଷକ ପ୍ରଣାଳୀ ହଟାଇବା ନେଇ ନୂଆ ଦିଶାନିର୍ଦ୍ଦେଶ ଚିଠା ପ୍ରସ୍ତାବ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଡାକ୍ତରଙ୍କୁ କିଛି ସର୍ତ୍ତ ଧ୍ୟାନରେ ରଖି ତଥା ବହୁତ ବୁଝି ବିଚାରୀ ରୋଗୀଙ୍କ ଲାଇଫ ସପୋର୍ଟ ହଟାଯିବ କି ନା ନିଷ୍ପତ୍ତି ନେବାକୁ ପଡିବ।  ଏଥିରେ ରୋଗୀ ଅଥବା ତାଙ୍କ ପରିଜନଙ୍କ ଦ୍ୱାରା ଲିଖିତ ରୂପେ କରାଯାଇଥିବା ଅସ୍ୱୀକାରକୁ ବି ଶାମିଲ କରାଯାଇଛି। 

ଦୁସାଧ୍ୟ ରୋଗରେ ପୀଡ଼ିତ ରୋଗୀଙ୍କ ଲାଇଫ ସପୋର୍ଟ ହଟିବ କି ନାହିଁ ଏ ନେଇ ଜାରି ଗାଇଡଲାଇନରେ ୪ଟି ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତଗୁଡିକ ଆଧାରରେ ଏହା ନିଷ୍ପତ୍ତି ନିଆଯାଇ ପାରିବ ଜୀବନ ରକ୍ଷକ ପ୍ରଣାଳୀକୁ ରୋକିବା ରୋଗୀଙ୍କ ହୀତରେ ଉଚିତ କି ଅନୁଚିତ ହେବ। ଏହା ସେବେ କରାଯାଇ ପାରିବ ଯେତେବେଳେ ଅସାଧ୍ୟ ରୋଗରେ ସଂଗ୍ରାମ କରୁଥିବା ରୋଗୀଙ୍କୁ ଲାଇଫ ସପୋର୍ଟରୁ କୌଣସି ଲାଭ ମିଳିବାର ସମ୍ଭାବନା ନଥିବ। ନଚେତ ଜୀବନ ରକ୍ଷକ ପ୍ରଣାଳୀରେ ରଖିଲେ ରୋଗୀର ଯନ୍ତ୍ରଣା ବଢୁଥିବ, ତେବେ ଏହି ସପୋର୍ଟକୁ ହଟାଯାଇ ପାରିବ। 

ସ୍ୱାସ୍ଥ୍ୟ ବିଭାଗ ଏହି ଚିଠା ପ୍ରସ୍ତାବ ଲାଗି ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପକ୍ଷକାରଙ୍କ ପ୍ରତିକ୍ରିୟା ଓ ପରାମର୍ଶ ଆମନ୍ତ୍ରିତ କରିଛନ୍ତି। ତେବେ ମେଡିକାଲ ଫାଟର୍ନିଟି ଏହି ଟିଠାପ୍ରସ୍ତାବକୁ ସ୍ୱାଗତ କରି ନାହିଁ। ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଅଧ୍ୟକ୍ଷ ଡା.ଆର.ଭି. ଅଶୋକନ କହିଛନ୍ତି ଯେ ଏହା ଡାକ୍ତରଙ୍କୁ ଆଇନଗତ ଯାଞ୍ଚ ଅଧିନକୁ ଆଣିବ ଓ ସେମାନଙ୍କ ଚିନ୍ତା ବଢାଇବ। 

ଲାଇଫ ସପୋର୍ଟ ହଟାଇବା ଲାଗି ସର୍ତ୍ତ

ଲାଇଫ ସପୋର୍ଟ ହଟାଇବା ପାଇଁ ଯାହା ପ୍ରଥମ ସର୍ତ୍ତ ରହିଛି ତାହା ହେଉଛି ଯଦି ରୋଗୀ ବ୍ରେନଷ୍ଟେମ ଡେଡ ଘୋଷି ହୋଇ ସାରିଥିବେ। ସେହିପରି ଦ୍ୱିତୀୟ ସର୍ତ୍ତଟି ହେଉଛି ଯଦି ଡାକ୍ତର ବିଚାର କରୁଥିବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଓ ଚିକିତ୍ସାରୁ ସେପରି କୌଣସି ଫଳ ମିଳିବାର ସମ୍ଭାବନା ନାହିଁ। ସେହିପରି ରୋଗୀଙ୍କ ପରିଜନ ଯଦି ରୋଗୀଙ୍କୁ ଅଧିକ ସମୟ ଲାଇଫ ସପୋର୍ଟରେ ରଖିବାକୁ ଚାହୁଁ ନଥିବେ। ଏହା ଛଡା ଚତୁର୍ଥ ସର୍ତ୍ତଟି ହେଉଛି ଲାଇଫ ସପୋର୍ଟ ହଟାଇବାର ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ କରାଯାଇ ପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.