ଭୁବନେଶ୍ୱର ୦୨/୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ରହିଛି ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । ମାତ୍ର ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ଲମ୍ବା ସମୟ ରହିବନି । ଶୁକ୍ରବାର ରାଜ୍ୟର ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଅନୁମାନ କରାଯାଉଛି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ଭଦ୍ରକ, ଯାଜପୁର, ସମ୍ବଲପୁର, ବରଗଡ଼ର ଅଧିକାଂଶ ଅଞ୍ଚଳରେ ଶୁକ୍ରବାର ବର୍ଷା ସମ୍ଭାବନା ଅଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୩ରୁ ବର୍ଷା ପରିମାଣ କମିବ । ୪ ଓ ୫ରେ ଉତ୍ତର ଉପକୂଳର ଅନେକ ସ୍ଥାନ ସହ କିଛି ଜାଗାରେ ବର୍ଷା ହୋଇପାରେ ।
ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ସତର୍କତା ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏପଟେ ଭାରତୀୟ ପାଣିପାଗ ବିଭାଗ ଅଗଷ୍ଟ ଓ ସେପ୍ଟେମ୍ବର ପାଇଁ ମୌସୁମୀ ବର୍ଷାର ପୂର୍ବାନୁମାନ ଜାରି କରିଛି । ଏଥିରେ ଦର୍ଶାଯାଇଛି, ସାରା ଦେଶରେ ଏହି ୨ ମାସରେ ଭଲ ବର୍ଷା ସମ୍ଭାବନା ଅଛି । ଦେଶରେ ସ୍ୱାଭାବିକ ଠାରୁ ଅଧିକ ପରିମାଣ ବର୍ଷା ହୋଇପାରେ ।
ସମ୍ଭାବ୍ୟ ଚିତ୍ର ଅନୁସାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବି ଭଲ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ମାତ୍ର ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିପାରେ । ଦକ୍ଷିଣରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ରହିଛି । ବିଶେଷ କରି କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ ବର୍ଷା ପରିମାଣ କମିବା ଅନୁମାନ କରାଯାଉଛି । ହେଲେ ରାଜ୍ୟର କେନ୍ଦ୍ରୀୟ, ଉତ୍ତର, ପଶ୍ଚିମ ଓ ଉପକୂଳରେ ଭଲ ବର୍ଷା ସମ୍ଭାବନା ଅଛି । ଉଭୟ ଅଗଷ୍ଟ ଓ ସେପ୍ଟେମ୍ବର ପୂର୍ବାନୁମାନ ଚିତ୍ର ଦେଖିଲେ ରାଜ୍ୟରେ ମୌସୁମୀ ଶେଷ ପର୍ଯ୍ୟନ୍ତ ଭଲ ବର୍ଷା ଦେବା ଅନୁମାନ କରାଯାଉଛି ।
ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ତଥାପି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼,ମୟୂରଭଞ୍ଜ, ଯାଜପୁର, ପୁରୀରେ ବର୍ଷା ନିଅଣ୍ଟିଆ ଅଛି । ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ସେଠାରେ ନିଅଣ୍ଟିଆ ସ୍ଥିତିରେ ସୁଧାର ଆସିପାରେ ।
ଗତ ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ବାରିପଦାରେ ୧୫୬ ମିଲିମିଟର, ଜାମଦାରେ ୧୩୧ ମିମି, ଚାନ୍ଦୁଆରେ ୧୨୬, ବେତନଟୀରେ ୧୨୫, ସାରସକଣାରେ ୧୧୮, କୁସୁମିରେ ୧୦୪, ବାଂଶପାଲରେ ୯୬, ଯମନକିରାରେ ୮୪, ବାଙ୍ଗିରିପୋଷିରେ ୭୭, ପିପିଲିରେ ୭୭, ଯାଜପୁରରେ ୭୦, ବହଳଦାରେ ୬୮ ମିମି ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର, ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଥିଲେ ।