ଦୁର୍ବଳ ହେଉଛି ଗଭୀର ଅବପାତ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | September 15, 2024 IST

ଭୁବନେଶ୍ବର ୧୫।୯: ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଗଭୀର ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଂଚଳ ଉପରେ ରହିଛି । ଏହା ପଶ୍ଚିମ ଦିଗକୁ ଗତି କରିବା ସହ ରବିବାର

 ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ତୀବ୍ରତା ରହିବ । ଏହା ପରେ ଗଭୀର ଅବପାତଟି ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସହ ଝାଡଖଣ୍ଡ ଓ ଦକ୍ଷିଣ ଛତିଶଗଡ ଆଡକୁ ଗତି କରିବ ବା ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମୟୁରଭଞ୍ଜରେ ଭୀଷଣ ବର୍ଷାର ସମ୍ଭାବନାକୁ ନେଇ ଆଂଚଳିକ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । 

ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏଥିସହ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୋମବାର ପାଇଁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, କେନ୍ଦୁଝର, ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ ଓ ଅନୁଗୁଳରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ୧୬ ତାରିଖରୁ କମିବ ବର୍ଷା । ସମୁଦ୍ର ମଧ୍ୟରେ ୫୦ ରୁ ୬୦ କି.ମି. ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯିବା ସହ ବନ୍ଦରଗୁଡିକୁ ୩ ନମ୍ବର  ବିପଦ ସଂକେତ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା  ଥିବା ବେଳେ ଉପକୂଳ ଅର୍ଥାତ ପାରାଦୀପ ଓ ଧାମରା ବନ୍ଦର  ପାଇଁ  ଏହି ଓ୍ବାର୍ଣ୍ଣିଂ ରହିଛି । 

ସେପଟେ  ସାରା ରାଜ୍ୟରେ   ୯୬୩.୫ ମିମି  ବର୍ଷା  ହୋଇଥିବା   ବେଳେ  ବର୍ତ୍ତମାନ ୮  ପ୍ରତିଶତ ନିଅଁଟିଆ ବର୍ଷା  ରେକର୍ଡ   କରାଯାଇଛି । ଗତ ୨୪ ଘଣ୍ଟାରେ  ରାଜ୍ୟର ଅନେକ  ସ୍ଥାନରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସହ କେତେକ  ସ୍ଥାନରେ   ପ୍ରବଳ  ବର୍ଷା ହୋଇଛି । ଏହି କ୍ରମରେ  ବାଲେଶ୍ୱର ର ଭୋଗରାଇରେ ସର୍ବାଧିକ ୧୨୫ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧୭ ଯାଏଁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ବଙ୍ଗୋପସାଗରରେ ଅନେକ ସିଷ୍ଟମ୍ ରହିଲେ ମଧ୍ୟ ଅଧିକ ବର୍ଷା ହେଉନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । 

You Can Read:

ରସିକିଆ ପ୍ରେମିକଙ୍କୁ ଛେଚିଲେ ଯୁବତୀଙ୍କ ପରିବାର, ବିବାହ କରି ଠକିବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.