ବାରିପଦା ୧୨।୭: ମହାପ୍ରଭୁଙ୍କ ଲୀଳାଖେଳା ଅପାର । ଜନ୍ମବେଦୀକୁ ମହାପ୍ରଭୁ ଆସି ଲୀଳା ଖେଳା କରିଥାନ୍ତି । ତେବେ ମାଉସୀ ମା’ ମନ୍ଦିରରେ ଏହି ରହଣୀ କାଳରେ ନିଆରା ପରମ୍ପରା ହେଉଛି ହେରା ପଞ୍ଚମୀ ଭେଟ । ଗୁରୁବାର ବିଳମ୍ବିତ ରାତିରେ ପରମ୍ପରା ମୁତାବକ ମହାପ୍ରଭୁଙ୍କର ପବିତ୍ର ହେରାପଞ୍ଚମୀ ଭେଟ ନୀତି ଅନୁଷ୍ଠିତ ହୋଇଯାଇଛି । ଯାହାକି ତିନି ଠାକୁରଙ୍କ ମାଉସୀ ମା’ ମନ୍ଦିରରେ ରହଣୀ କାଳରେ ଭକ୍ତଙ୍କ ପାଇଁ ସବୁଠୁ ଆକର୍ଷଣୀୟ ଅଟେ । ମହାପ୍ରଭୁ ଜନ୍ମବେଦୀକୁ ବୁଲିବାକୁ ଆସିଥିବା ବେଳେ ସାଙ୍ଗରେ ଭାଇ ଓ ଭଉଣୀଙ୍କୁ ଧରି ଆସିଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଆଣିନାହାନ୍ତି । ଏହି କାରଣ ପାଇଁ ମା’ ମହାଲକ୍ଷ୍ମୀଙ୍କ ରୋଶର ମହାପ୍ରଭୁ ଶିକାର ହୁଅନ୍ତି ।
ନୀତି ପାଳନ ପାଇଁ ଶ୍ରୀ ମନ୍ଦିରରୁ ବିମାନରେ ବାହାରି ମାଉସୀ ମା’ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଫେରାଇବାକୁ ଉଦ୍ୟମ କରିଥିଲେ । ମାତ୍ର ମହାପ୍ରଭୁ ନଫେରିବାରୁ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀମନ୍ଦିରକୁ ଫେରି ଯାଇଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏଭଳି ରାଗରୋଶକୁ ନେଇ ଅନୁଷ୍ଠିତ ହୋଇଥାଏ ଏହି ହେରା ପଞ୍ଚମୀ ଭେଟ । ରାତି ପ୍ରାୟ ୧୨ଟା ସମୟରେ ଏହି ନୀତି ଆରମ୍ଭ ହୋଇ ରାତି ପ୍ରାୟ ୧ଟା ବେଳକୁ ଶେଷ ହୋଇଥିଲା । ଏଭଳି ଏକ ନିଆରା ପରମ୍ପରାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମଧ୍ଯ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ରାତି ପର୍ଯ୍ୟନ୍ତ ଭକ୍ତ ଅପେକ୍ଷା କରି ରହିଥିଲେ ।
ଅନ୍ୟପଟେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାକୁ ନେଇ ରଥ ମେଳାର ଭିଡ଼ ଜମିଛି । ମୀନା ବଜାର ସହ ଭଳିକି ଭଳି ଦୋଳି ଆସିଥିବା ବେଳେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ଭିଡ଼ ଲାଗିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ମାଉସୀ ମା’ ମନ୍ଦିର ମଣ୍ଡପରେ ବିଜେ କରିଥିବା ବେଳେ ପ୍ରତିଦିନ ବେଶ ନୀତିକାନ୍ତି ଚାଲିଛି । ଆଡପ ମଣ୍ଡପରେ ଦର୍ଶନ କଲେ କୋଟି କୋଟି ପୁଣ୍ୟ ମିଳିଥାଏ । ଏହି ବିଶ୍ବାସରେ ଅହେତୁକ ଭକ୍ତଙ୍କ ଭିଡ ପ୍ରତିଦିନ ପରିଲକ୍ଷିତ ହେଉଛି ।
You Can Read:
ସପ୍ତମ ବାଟାଲିୟନରୁ ମିଳିଲା ସିପାହୀଙ୍କ ମୃତଦେହ, ଛାନଭିନ୍ କରୁଛି ମୈତ୍ରୀ ବିହାର ପୋଲିସ