କଟକ ୧୨।୧୧: ହାଇକୋର୍ଟରେ ଭରତପୁର ଥାନା ବିବାଦ ମାମଲାର ଶୁଣାଣି ହୋଇଛି । ସେନା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେନେଇ ଜାରି ହୋଇଥିବା SOP ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ । SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ CCTV ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।
ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କ ସହ ପୋଲିସର ବିବାଦ ମାମଲାରେ ଫରେନସିକ୍ ରିପୋର୍ଟ ଆସିଥିଲା । କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଫରେନସିକ୍ ରିପୋର୍ଟ । ଗୁଜୁରାଟ ସ୍ଥିତ ଲାବ୍ରୁ ଏହି ଫରେନସିକ୍ ରିପୋର୍ଟ ଆସିଛି । ଏହି ଫରେନସିକ୍ ରିପୋର୍ଟ ଖୋଲିବ ଘଟଣାର ପ୍ରକୃତ ରହସ୍ୟ । ଗୁଜୁରାଟ ଫରେନସିକ୍ ଲାବ୍ରେ ଭରତପୁର ଥାନା ଅଧିକାରୀଙ୍କର ଫରେନସିକ୍ ଯାଞ୍ଚ ହୋଇଥିଲା । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ତିନି ଜଣ ଏସ୍ଆଇ ଓ ଜଣେ ଏଏସ୍ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।
ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି ।
You Can Read: