ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଡିନର ମେନ୍ୟୁ ଲିକ୍, ଭୋଜିରେ ପରଷା ଯାଇଛି ନିଷିଦ୍ଧ ଜଙ୍ଗଲୀ କୁକୁଡ଼ା ମାଂସ!

Published By : Prameya-News7 Bureau | December 14, 2024 IST

ଶିମଲା ୧୪।୧୨: ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ପ୍ରସଙ୍ଗରେ ସେ ମୁହଁ ଖୋଲି ପାରୁନଥିବା ବେଳେ ବିବାଦକୁ ନେଇ ଚର୍ଚ୍ଚା ବ୍ୟାପିବାରେ ଲାଗିଛି। ଅସଲରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କୁ  ରାତ୍ର ଭୋଜନ( ଡିନର)ରେ ଜଙ୍ଗଲୀ କୁକୁଡ଼ା ମାଂସ ଖାଇବାକୁ ଦିଆଯାଇଥିଲା। ଏହାକୁ ନେଇ ଏବେ ବିଜେପି ନେତାମାନେ ପ୍ରଶ୍ନ ଉଠାଉଛନ୍ତି। ‘ ସର୍କାର ଗାଁବ କେ ଦ୍ୱାର’ କାର୍ଯ୍ୟକ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସୁଖୁ ସିମଲା ଚୌପାଲର ଦୁର୍ଗମ ଅଞ୍ଚଳ କୁପବୀ ଗସ୍ତରେ ଥିଲେ। ସେ ସେଠାରେ ରାତ୍ରୀଯାପନ ମଧ୍ୟ କରିଥିଲେ। 

ଗାଁରେ ମୁଖ୍ୟମନ୍ତ୍ରୀଙ୍କ ରହଣୀ ନିମନ୍ତେ ସ୍ଥାନୀୟ ଲୋକେ ରାତ୍ରଭୋଜନ ବ୍ୟବସ୍ଥା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଡିନର ମେନ୍ୟୁ କେହି ଲିକ୍ କରିଦେଇଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।  ଏହି ଡିନର ମେନ୍ୟୁରେ ଜଙ୍ଗଲୀ କୁକୁଡ଼ା ମଧ୍ୟ ରହିଛି। ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହା ଛଡା ଗ୍ରାମବାସୀଙ୍କ ସହ ରାତ୍ରଭୋଜନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ଯେଉଁଥିରେ ଜଙ୍ଗଲୀ କୁକୁଡ଼ାକୁ ଆପଣ କେମିତି ମାରି ପାରିବେ ବୋଲି ନିଜେ ସୁଖୁ ପ୍ରଶ୍ନ କରୁଥିବା ଦେଖାଯାଉଛି। 

ଡିନରର ମେନ୍ୟୁକୁ ନେଇ ରାଜ୍ୟ ବିଜେପି ଏବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମକ ହୋଇଉଠିଛି। ବିଜେପି ନେତା ତଥା ବିଧାୟକ ସୁଧୀର ଶର୍ମା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ଭିଡିଓରେ ମୁଖ୍ୟମନ୍ତ୍ରୀ ସେ ମାଂସ ଖାଆନ୍ତିନି ବୋଲି ମଧ୍ୟ କହୁଥିବା ଦେଖାଯାଉଛି। ଏହା ଉପରେ ଖାଦ୍ୟ ପରଷୁଥିବା ବ୍ୟକ୍ତି ଗୋଟିଏ ପିସ୍‌ ନିଅନ୍ତୁ ବୋଲି ଅନୁରୋଧ କରୁଥିବା ବେଳେ ଯେତେବେଳେ ସେ ମାଂସ ମୁଁ ଖାଏନା ଏଥିରେ ଖଣ୍ଡେ ଖାଇବାର ମଧ୍ୟ ପ୍ରଶ୍ନ ଉଠୁ ନାହିଁ ବୋଲି କହୁଥିବା ଶୁଣା ଯାଉଛି। 

ଏହି ଭୋଜନରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଧନୀରାମ ସାଣ୍ଡିଲ୍ୟଙ୍କୁ ମଧ୍ୟ ଦେଖାଯାଉଛି। ଏଥିରେ ପ୍ରତିକ୍ରିୟା ଦେଇ ରାଜ୍ୟରେ ବିରୋଧୀ ଦଳର ନେତା ଜୟରାମ ଠାକୁର ସରକାରୀ ଯୋଜନା ନାମରେ ମୁଖ୍ୟମନ୍ତ୍ରୀ ଗାଁକୁ ଯାଇ ପିକନିକ୍ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ସଂରକ୍ଷିତ ପ୍ରଜାତିର ଜଙ୍ଗଲୀ କୁକୁଡ଼ା ଖାଉଥିବା ଲୋକଙ୍କୁ ଜେଲ ଯିବାକୁ ପଡେ, ଜରିମନା ହୁଏ ହେଲେ ମୁଖ୍ୟମନ୍ତ୍ରୀ କୁକୁଡ଼ା ଖୁଆଇବା ପୂର୍ବରୁ ମେନୁ ଛପାନ୍ତି ଓ ନିଜ ମନ୍ତ୍ରୀମାନଙ୍କୁ ଖୁଆନ୍ତି। 

ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶରେ ଜଙ୍ଗଲୀ କୁକୁଡ଼ା ଶିକାର ଉପରେ କଟକଣା ରହିଛି। ଯଦି କେହି ଏପରି ଅପରାଧ କରେ ବନ୍ୟପ୍ରାଣୀ ଆଇନ ଅନୁସାରେ ତାଙ୍କୁ ଅପରାଧୀ ମନେ କରାଯାଏ। ଏଥିରେ ପ୍ରଶାସନର ବଡ ଭୁଲ ସାମ୍ନାକୁ ଆସୁଛି। ଏବେ ପ୍ରଶ୍ନ ଉଠୁଛି ଯେଉଁ ପ୍ରାଣୀକୁ ମାରିବା ଅପରାଧ ତାର ମାଂସ କିପରି ମୁଖ୍ୟମନ୍ତ୍ରୀଙ୍କ ଭୋଜିରେ ସାମିଲ ହେଲା? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.