ନୂଆଦିଲ୍ଲୀ: ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରଠୁ ତାଙ୍କ ସମର୍ଥକ ଏବଂ ବାଂଲାଦେଶ ସରକାରଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି।ଚିନ୍ମୟ ଦାସଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକ ପ୍ରତିବାଦ କରୁଥିବାବେଳେ, କିଛି ସ୍ଥାନରେ ବାଂଲାଦେଶର ଚରମପନ୍ଥୀ ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ସେପଟେ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ହିଂସା ଘଟଣାକୁ ଦେଖି ଭାରତ ସରକାର ଚିନ୍ତା ପ୍ରକାଶ କରିବା ସହ ସେମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।
ଏହାରି ମଧ୍ୟରେ ଚିତ୍ତାଗଙ୍ଗଠାରେ ଦେଖିବାକୁ ମିଳିଛି ଭୟଙ୍କର ପରିସ୍ଥିତି। ଏଠାରେ କିଛି ଉଗ୍ରବାଦୀ ଗୋଷ୍ଠୀ ଦୁଇ ମନ୍ଦିରକୁ ଭାଙ୍ଗି ନଷ୍ଟ କରିଛନ୍ତି। ଖାଲି ସେତିକି ନୁହେଁ ସେମାନେ ସେଠାରେ ଥିବା ହିନ୍ଦୁଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଫଳରେ ସେଠାରୁ ଶତାଧିକ ହିନ୍ଦୁ ପଳାୟନ କରିଛନ୍ତି। ସେହିଭଳି ଚିତ୍ତାଗଙ୍ଗର କୋତଓ୍ବାଲି ପୋଲିସ ଥାନାରେ ନିକଟରେ ମଧ୍ୟ ଏକାଧିକ ଦୋକାନକୁ ଭାଙ୍ଗି ନଷ୍ଟ କରିଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ବିରୋଧ କରି ହିନ୍ଦୁ ଧାର୍ମିକ ସଙ୍ଗଠନ ତରଫରୁ ସ୍ଥାନୀୟ ଅଞ୍ଚଳରେ ଏକ ରାଲି କରାଯାଉଥିବା ସମୟରେ ଏହି ଘଟଣା ଘଟିଛି। ସେଠାରେ ଥିବା ରାଧା ଗୋବିନ୍ଦ ଏବଂ ସନ୍ତାନେଶ୍ବରୀ ମାତ୍ରୀ ମନ୍ଦିରକୁ ଟାର୍ଗେଟ କରିଥିଲେ ଚରମପନ୍ଥୀ ଗୋଷ୍ଠୀ ଜମାତ-ଏ-ଇସଲାମୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ହିନ୍ଦୁ ବସବାସ କରୁଥିଲେ। ମାତ୍ର ଏହି ଚରମପନ୍ଥୀଙ୍କ ଆକ୍ରମଣ କାରଣରୁ ଏବଂ ହିଂସା ଭୟରେ ଅନେକ ସେଠାରୁ ପଳାଇଯାଇଛନ୍ତି। ବଡ଼ କଥା ହେଲା ଆକ୍ରମଣ ସମୟରେ ପୋଲିସ କିମ୍ବା ସେନା ଯବାନ ସେମାନଙ୍କୁ ସୁରକ୍ଷା ଦେଇନଥିଲେ। ଆଉ ଚରମପନ୍ଥୀ ଗୋଷ୍ଠୀର ଲୋକମାନେ ଆକ୍ରମଣ କରି ଚାଲିଥିଲେ।
ସୂଚନାଥାଉକି, ବାଂଲାଦେଶରେ ଗତ ଅଗଷ୍ଟ ମାସରୁ ଶେଖ ହସିନାଙ୍କ ସରକାରଙ୍କ ହଟିବା ପରଠାରୁ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି। ବାଂଲାଦେଶୀ ଚରମପନ୍ଥୀମାନେ ଶତାଧିକ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ଦେବଦେବୀଙ୍କୁ ପ୍ରତିମୂର୍ତ୍ତି ନଷ୍ଟ କରାଯାଇଛି। ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଅବଶ୍ୟ ଏପର୍ଯ୍ୟନ୍ତ ହିନ୍ଦୁଙ୍କ ତରଫରୁ ଏନେଇ କୌଣସି ବଡ଼ ଧରଣର ବିରୋଧ ପ୍ରଦର୍ଶନ କରାଯାଇନାହିଁ।
ଆଉ ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ ନିଆଁରେ ଘିଅ ଢାଳିବା ଭଳି କାମ କରିଛି। ଚିନ୍ମୟ ଦାସଙ୍କ ଗିରଫ ପରେ ସେଠାରେ ଥିବା ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି।ଅନେକ ସ୍ଥାନରେ ହିନ୍ଦୁ ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ଦେଖିବାକୁ ମଧ୍ୟ ମିଳୁଛି । ଘଟଣା ପରେ ବାଂଲାଦେଶରେ ଇସ୍କନକୁ ମଧ୍ୟ ଟାର୍ଗେଟ କରି ବ୍ୟାନ କରିବା ପାଇଁ ହାଇକୋର୍ଟରେ ଆବେଦନ ହୋଇଛି। ଅବଶ୍ୟ ଏହାକୁ ହାଇକୋର୍ଟ ଖାରଜ କରିଛନ୍ତି।