କର୍ଣ୍ଣାଟକରେ ଆରମ୍ଭ ହେଲା ଐତିହାସିକ କୁମ୍ଭମେଳା, ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଉଛନ୍ତି ଲୋକେ

Published By : Prameya-News7 Bureau | February 13, 2025 IST

ମୈସୁର ୧୩।୨:  କର୍ଣ୍ଣାଟକ ମୈସୁର ଜିଲ୍ଲା ଟି ନରସିପୁରାରେ ଆରମ୍ଭ ହୋଇଛି ଐତିହାସିକ କୁମ୍ଭମେଳା। ଏଠାରେ କେବାରୀ, କପିଳା ଓ ସ୍ପଟିକା ନଦୀର ସଙ୍ଗମ ରହିଛି। ଏଠାରେ ଏଥର ତ୍ରୟୋଦଶତମ କୁମ୍ଭମେଳା ଆରମ୍ଭ ହୋଇଛି। ଏହାର ଉଦଘାଟନ ସହିତ କର୍ଣ୍ଣାଟକରେ ଭବ୍ୟ ଆଧ୍ୟାତ୍ମିକ ଉତ୍ସବର ଶୁଭାରମ୍ଭ ହୋଇଛି। ଏହି ପବିତ୍ର ଆୟୋଜନକୁ ସାଧାରଣତଃ ଦକ୍ଷିଣ ଭାରତର କୁମ୍ଭମେଳା କୁହାଯାଏ। ଏଥିରେ ସାରା ରାଜ୍ୟର ହଜର ହଜାର ଶ୍ରଦ୍ଧାଳୁ ଓ ସନ୍ଥଙ୍କ ସମାଗମ ହୁଏ। 

ଏହି ପବିତ୍ର ସମାଗମରେ ଅନେକ ପବିତ୍ର ଅନୁଷ୍ଠାନ ହୁଏ। ଶ୍ରଦ୍ଧାଳୁ ପବିତ୍ର ସ୍ନାନ ସହିତ ଆଧ୍ୟାତ୍ମିକ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି। ଏହି କାର୍ଯ୍ୟକ୍ରମ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ, ଯେଉଁଥି ଲାଗି ଏବେ ଧାର୍ମିକ ଉତ୍ସାହ ଚରମରେ ପହଞ୍ଚିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବ କୁମାର ପବିତ୍ର ବୁଡ଼ ପକାଇଛନ୍ତି। ସେ ଶ୍ରଦ୍ଧାଳୁଙ୍କୁ କୁମ୍ଭ ସ୍ନାନ ନିମନ୍ତେ ଉତ୍ତରପ୍ରଦେଶର ପ୍ରୟାଗରାଜ ଯିବା ପରିବର୍ତ୍ତେ କର୍ଣ୍ଣାଟକ କୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ ବିଚାର କରିବାକୁ ଅନୁରୋଧ କରିଛନ୍ତି। 

ଶିବକୁମାର କହିଛନ୍ତି ଯେ ଯଦି ଆମେ ଇତିହାସ ଓ ପୁରାଣକୁ ଯିବା ତେବେ ଦେଖିବା ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କୁ ଯେଉଁ ଦିବ୍ୟତା ପ୍ରଦାନ କରାଯାଇଛି ଆମ ରାଜ୍ୟରେ ପ୍ରବାହୀତ ହେଉଥିବା କାବେରୀ ନଦୀକୁ ମଧ୍ୟ ସେହି ଦିବ୍ୟତା ଓ ପବିତ୍ରତା ଦିଆଯାଇଛି। ଏଣୁ ମୁଁ ଏଠାକାର ଲୋକଙ୍କ ଅନୁରୋଧ କରୁଛି ସେମାନେ ମହାକୁମ୍ଭକୁ ନଯାଇ ଆମ ରାଜ୍ୟରେ ଅନୁଷ୍ଠିତ ହେଉଥିବା କୁମ୍ଭମେଳାର ଲାଭ ନିଅନ୍ତୁ। ତେବେ ଶିବ କୁମାରଙ୍କ ଏହି ବୟାନ ପରେ ରାଜ୍ୟରେ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି। 

ବିରୋଧୀ ଦଳ ନେତା ଆର୍.ଅଶୋକ କହିଛନ୍ତି ଡି.କେ. ଶିବକୁମାରଙ୍କ ପରାମର୍ଶକୁ ସ୍ୱାଗତ କରୁଛି। ଅଶୋକ କହିଛନ୍ତି ସେ ମଲ୍ଲିକାର୍ଜୁନ ଖଡଗେ, ତାଙ୍କ ପୁଅ ଓ ସିଦ୍ଦରମୈୟାଙ୍କୁ ମଧ୍ୟ ଏହି ପରାମର୍ଶ ଦିଅନ୍ତୁ ଓ ପବିତ୍ର ସ୍ନାନ କରିବାକୁ କହନ୍ତୁ। ସେମାନେ କୁମ୍ଭ ସ୍ନାନ କଲେ ରାଜ୍ୟର ଦାରିଦ୍ର୍ୟତା ଦୂର ହୋଇଯିବ କି ବୋଲି ଅଶୋକ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୁମ୍ଭ ସ୍ନାନକୁ ନେଇ ଅତୀତରେ ମଲ୍ଲିକାର୍ଜୁନ ଖଡଗେ ଏପରି ଟିପ୍ପଣୀ କରିଥିଲେ। କହିଥିଲେ କୁମ୍ଭ ସ୍ନାନ କଲେ ଦେଶରୁ ବେକାରୀ ଓ ଗିରବୀ ଦୂର ହୋଇଯିବ କି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.