ରାଉରକେଲା, ୧୨ ।୧: ହକି ଇଣ୍ଡିଆ ଲିଗ୍ରେ ପ୍ରତିଦିନ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ଶନିବାର ଲଢ଼େଇରେ ହାଇଦ୍ରାବାଦ ତୁଫାନ୍ସ ଏବଂ ୟୁପି ରୁଦ୍ରାସ ବିଜୟ ହୋଇଛନ୍ତି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ତୁଫାନ୍ସ ୧-୧ (୪-୩)ରେ ସୁରମା ହକି କ୍ଲବକୁ ଏବଂ ଦ୍ୱିତୀୟ ମ୍ୟାଚ୍ରେ ରୁଦ୍ରସ୍ ୩-୧ରେ ଦିଲ୍ଲୀ ଏସ୍ଜି ପିପର୍ସକୁ ପରାସ୍ତ କରିଛି ।
ତୁଫାନ୍ସ ଓ ସୁରମା ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ସୁରମା ପକ୍ଷରୁ ୮ମ ମିନିଟରେ ନିକୋଲାସ ଡେଲାସ ତୋରେ ଏବଂ ତୁଫାନ୍ସ ପକ୍ଷରୁ ୪୦ ମିନିଟରେ ଅମନଦୀପ ଲାକ୍ରା ଗୋଲ୍ ଦେଇ ସ୍ଥିତି ବରାବର କରିଥିଲେ । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଅମୀମାଂସିତ ରହିବାରୁ ଖେଳ ସୁଟଆଉଟ୍କୁ ଯାଇଥିଲା । ଏଥିରେ ତୁଫାନ୍ସ ୪-୩ ଗୋଲରେ ବିଜୟୀ ହୋଇଥିଲା । ରୁଦ୍ରସ୍-ଦିଲ୍ଲୀ ମ୍ୟାଚ୍ରେ ପ୍ରଥମ କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଦିଲ୍ଲୀ ୨୯ ମିନିଟରେ ପ୍ରଥମେ ଗୋଲ ଖାତା ଖୋଲି ପ୍ରଥମାର୍ଦ୍ଧରେ ଅଗ୍ରଣୀ ଲାଭ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରୁଦ୍ରସ୍ ପ୍ରତ୍ୟାବର୍ତ୍ତନ କରିଥିଲା । ୩୦, ୪୩ ଓ ୫୪ ମିନିଟରେ ଗୋଲ୍ ଦେଇ ମ୍ୟାଚ୍କୁ ଜିତି ନେଇଥିଲା । ଦିଲ୍ଲୀ ବହୁ ପ୍ରୟାସ କରି ଶେଷ ପର୍ଯ୍ୟନ୍ତ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇନଥିଲା । ପଏଣ୍ଟ ଟେବୁଲରେ ନଜର ପକାଇଲେ ତାମିଲନାଡୁ ଡ୍ରାଗନ୍ସ ସର୍ବାଧିକ ୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ୯ ପଏଣ୍ଟ ସହ ୟୁପି ରୁଦ୍ରସ୍ ଦ୍ୱିତୀୟ, ସମାନ ପଏଣ୍ଟ ସହ ବେଙ୍ଗଲ ଟାଇଗର୍ସ ତୃତୀୟ, ୮ ପଏଣ୍ଟ ସହ ସୁରାମା ଚତୁର୍ଥ ଏବଂ କଳିଙ୍ଗ ଲାନସର୍ସ ପଞ୍ଚମ ସ୍ଥାନରେ ରହିଛି ।