ନୂଆଦିଲ୍ଲୀ ୨୭।୨: କେନ୍ଦ୍ର ସରକାର ୩୨ ନେତା ଓ ଅଧିକାରୀଙ୍କ ସୁରକ୍ଷା ହଟାଇ ଦେଇଛନ୍ତି। ଯେଉଁ ନେତାଙ୍କ ସୁରକ୍ଷା ହଟିଛି ସେଥିରେ ବିଜେପି ନେତା ମଧ୍ୟ ଅଛନ୍ତି ଓ ସେମାନେ ଗତ ଲୋକସଭା ନିର୍ବାଚନରେ ହାରିଥିଲେ। ଏହି ନିଷ୍ପତ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସମୀକ୍ଷା କମିଟି ନେଇଛି। ମନ୍ତ୍ରାଳୟଙ୍କ ଅନୁସାରେ ଏହା ଏକ ନିୟମିତ ପ୍ରକ୍ରିୟା, ଯାହା ସୁରକ୍ଷା ଆବଶ୍ୟକତା ଆକଳନ କରି ଯୋଗାଇ ଦିଆଯାଇଥାଏ। ଏହି ନିଷ୍ପତ୍ତି ଅନୁସାରେ ପଶ୍ଚିମବଙ୍ଗର ୩୨ ବିଜେପି ନେତାଙ୍କ ସୁରକ୍ଷା ହଟିଛି।
ଯେଉଁ ନେତାଙ୍କ ସୁରକ୍ଷା ହଟିଛି ସେଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜନ ବାର୍ଲା, ପୂର୍ବତନ ସାଂସଦ ଦଶରଥ ତୀର୍କି, ଶଂକୁଦେବ ପଣ୍ଡା, ପୂର୍ବତନ ଆଇପିଏସ ଅଫିସର ଦେବାଶିଷ ଧର ଆଦିଙ୍କ ନାମ ରହିଛି। ଏହା ସହିତ ତାଲିକାରେ ସେହି ନେତାଙ୍କ ନାମ ମଧ୍ୟ ରହିଛି ଯେଉଁମାନେ ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ। ଏଥିରେ ଡାୟମଣ୍ଡ ହାର୍ବରର ଅଭିଜିତ ଦାସ ଓ ପୂର୍ବତନ ବିଧାୟକ ଦୀପକ ହଲଦରଙ୍କ ସୁରକ୍ଷା ମଧ୍ୟ ହଟିଛି।
ପ୍ରସଙ୍ଗରେ ଅଭିଜିତ ଦାସ କହିଛନ୍ତି ଯେ ଏହା ଏକ ନିୟମିତ ପ୍ରକ୍ରିୟା ପ୍ରତି ୩ ମାସରେ ସୁରକ୍ଷା ସମୀକ୍ଷା କରାଯାଏ ଓ ଗୃହମନ୍ତ୍ରାଳୟ ଆବଶ୍ୟକତା ନଥିଲେ ସୁରକ୍ଷା ପ୍ରତ୍ୟାହାର କରି ନିଅନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ କହିଛନ୍ତି। ସେହିପରି ବିଜେପି ନେତା ସମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ଏକା ପ୍ରକାରର ବୟାନ ଦେଇଛନ୍ତି। ସରକାରୀ ସୁରକ୍ଷାର ଆଉ ଆବଶ୍ୟକତା ନଥିଲା ,ଏଣୁ ଗୃହମନ୍ତ୍ରାଳୟ ସୁରକ୍ଷା ହଟାଇ ନେଇଥିବାର ସେ କହିଛନ୍ତି।