୬୦% ମୁସଲମାନ ଭୋଟର, UP କୁନ୍ଦରକୀରେ କିପରି ଜିତିଲେ ବିଜେପିର ହିନ୍ଦୁ ପ୍ରାର୍ଥୀ?

Published By : Prameya-News7 Bureau | November 23, 2024 IST

କୁନ୍ଦରକୀ ୨୩।୧୧: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସହିତ କେତେକ ରାଜ୍ୟରେ ଉପ ନିର୍ବାଚନ ମଧ୍ୟ ହୋଇଛି। ଏଥିରେ ଉତ୍ତରପ୍ରଦେଶ (ୟୁପି) ମୁରାଦାବାଦ କୁନ୍ଦରକୀ ବିଧାନସଭା ଉପନିର୍ବାଚନ ମଧ୍ୟ ରହିଛି। ତେବେ ଏହି ସବୁ ନିର୍ବାଚନ ଫଳାଫଳରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଖୁବ୍ ଚର୍ଚ୍ଚା ହେଉଛି। କିନ୍ତୁ ଏହା ମଧ୍ୟରେ ୟୁପିର ୯ ବିଧାନସଭା ସିଟ୍ ରେ ହୋଇଥିବା ଉପନିର୍ବାଚନରେ କୁନ୍ଦରକୀ ବିଧାନସଭା ନିର୍ବାଚନମଣ୍ଡଳିର ଫଳାଫଳ ସମସ୍ତଙ୍କୁ ଚମତ୍କୃତ କରିଛି। 

ମୁସ୍ଲିମ ବହୁଳ ଅଞ୍ଚଳର କୁନ୍ଦରକୀ ସିଟ୍‌ ୨୦୧୨ରୁ ୨୦୨୨ ପର୍ଯନ୍ତ ସମାଜବାଦୀ ପାର୍ଟି (ସପା) ହାତରେ ଥିଲା। ହେଲେ ଏଥର ଏଠାରୁ ଏକମାତ୍ର ହିନ୍ଦୁ ପ୍ରାର୍ଥୀ  ବିଜେପିର ରାମବୀର ସିଂହ ଠାକୁର ବହୁମତରେ ବିଜୟୀ ହୋଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ମୁସଲମାନ ବହୁଳ ଅଞ୍ଚଳର ସିଟ୍‌ରେ ଏକମାତ୍ର ଅଣ ମୁସଲମାନ ପ୍ରାର୍ଥୀ ଜିତିଲେ କିପରି? କୁନ୍ଦରକୀ ଦୀର୍ଘ ସମୟରୁ ବିଜେପି ଲାଗି ଏକ ଆହ୍ୱାନପୂର୍ଣ୍ଣ ଆସନ ହୋଇଥିଲା। ଏଠାରୁ ବିଜେପି କେବଳ ଥରଟିଏ ୧୯୯୩ ମସିହାରେ ଜିତି ପାରିଥିଲା। ଗତ ୩ ଥର ହେଲା ସପାର ହାଜି ରିଜୱାନ ନିର୍ବାଚନ ଜିତି ଆସୁଥିଲେ। ଏଥର ମଧ ରିଜୱାନଙ୍କୁ ସପାରୁ ଟିକେଟ୍ ମିଳିଥିଲା। ତେବେ ଫଳାଫଳ ତାଙ୍କ ଆଶାନୁରୂପ ହୋଇ ନାହିଁ। 

ଏହି ଉପ ନିର୍ବାଚନରେ ମୋଟ ୧୨ ଜଣ ପ୍ରାର୍ଥୀ ମୈଦାନରେ ଥିଲେ। ଏମାନଙ୍କ ମଧ୍ୟରେ ବିଜେପିର ରାମବୀର ସିଂହ ଠାକୁର ଏକମାତ୍ର ଅଣ ମୁସଲମାନ ପ୍ରାର୍ଥୀ ଥିଲେ। ଏଥିରୁ ଅନୁମାନ କରାଯାଇ ପାରେ ଏଠାରେ ମୁସଲମାନ ଭୋଟର ଗୁରୁତ୍ୱ କେତେ? ପରିସ୍ଥିତି ଏପରି ଥିଲା ଯେ ନିର୍ବାଚନ ପ୍ରଚାର କାଳରେ ନିଜେ ରାମବୀର ଠାକୁର ଜାଲି ଟୋପି ପିନ୍ଧି ଆରବି ରୁମାଲ କାନ୍ଧରେ ପକାଇ ଭୋଟ ମାଗୁଥିବା ଦେଖାଯାଇଥିଲା। କୁନ୍ଦରକୀର ମୋଟ ଭୋଟରଙ୍କ ସଂଖ୍ୟା ୩,୮୩,୬୭୩। ଏହାର ୬୦ ପ୍ରତିଶତ କେବଳ ମୁସସମାନ ଭୋଟର। 

ଏଠାରେ ମୁସ୍ଲିମ ଭୋଟରଙ୍କ ସଂଖ୍ୟା ଯାହା ତାହା ପାଖାପାଖି ୨ଲକ୍ଷ ୪୦ ହଜାର ପାଖାପାଖି। ମୋଟ ମୁସଲମାନ ଭୋଟରଙ୍କ ମଧ୍ୟରୁ ୪୦ ପ୍ରତିଶତ ତୁର୍କ ମୁସଲମାନ, ଯେଉଁ ଭୋଟରଙ୍କ ସଂଖ୍ୟା ୮୮ ହଜାର ପାଖାପାଖି ରହୁଛି। ବାକି ଅନ୍ୟ ମୁସଲମାନ ଭୋଟରଙ୍କ ମଧ୍ୟରେ ୪୦ ହଜାର ରାଜପୁତ ମୁସଲମାନ ଅଛନ୍ତି। ଏଥିରୁ ଏଠାରେ ତୁର୍କ ମୁସଲମାନଙ୍କ ଭୋଟ ହିଁ ନିର୍ବାଚନମାନଙ୍କରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ହେଲେ ଏଥରକର ଗଣିତ ଗତ ନିର୍ବାଚନମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି। 

ଏଥର ସପା, ବସପା ଓ ଏଆଇଏମଆଇଏମ ସମସ୍ତଙ୍କ ପ୍ରାର୍ଥୀ ଥିଲେ ତୁର୍କ ମୁସଲମାନ। ଫଳରେ ତୁର୍କମାନଙ୍କ ଭୋଟ ବାଣ୍ଟି ହୋଇଯାଇଥିବା ବେଳେ ରାଜପୁତ ମୁସଲମାନଙ୍କ ଭୋଟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଏଥର ନିର୍ବାଚନରେ ବିଜେପି ରାଜପୁତ ମୁସଲମାନଙ୍କୁ କେନ୍ଦ୍ରରେ ରଖି ପ୍ରଚାର କରିଥିଲା। ବିଜେପି ଏକ ଦେଶ ଓ ଏକ ଡିଏନଏ ନାରା ନେଇ ଭୋଟରଙ୍କ ଘରକୁ ପହଞ୍ଚିଥିଲା। ରାମବୀର ସିଂହଙ୍କ ଡିଏନଏ ଓ ମୁସ୍ଲିମ ରାଜପୁତଙ୍କ ଡିଏନଏ ଏକ ବୋଲି ପ୍ରଚାରିତ ହେବା ମୋଟ ଭୋଟରୁ ୪୦ ପ୍ରତିଶତ ଅଣ ମୁସଲମାନ ଭୋଟ ବିଜେପି ସପକ୍ଷରେ ଯିବା ଯୋଗୁ ପରିସ୍ଥିତି ବଦଳି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.