ଇସ୍ରାଏଲ୍‌ ସେନାରେ ମହିଳା ଆର୍ମି କେତେ ପାଆନ୍ତି ଦରମା ? ଆଉ କଣ କଣ ମିଳିଥାଏ ସୁବିଧା ?

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ ୧୨।୧୦: ଚାଲିଛି ଇସ୍ରାଏଲ୍‌ ଏବଂ ହମାସ ଯୁଦ୍ଧ । ଏହାକୁ ବିତିଲାଣି ୧ ବର୍ଷ । ତଥାପି ଥମୁନି ଯୁଦ୍ଧର କଳାବାଦଲ । ଏବେ ଇସ୍ରାଏଲ ଇରାନ ସହିତ ଯୁଦ୍ଧ ଆରମ୍ଭ କରିଛି । ଉଭୟ ପକ୍ଷରୁ ହେଉଛି ଜୋରଦାର ଆକ୍ରମଣ । ଇରାନ୍ ଏବଂ ଇସ୍ରାଏଲ୍‌ର ସେନା ଖୁବ୍‌ ଶକ୍ତିଶାଳୀ । ଖାସ୍ କରି ଇସ୍ରାଏଲ୍‌ ସେନା ବହୁତ ଆଡଭାନ୍ସ । କୁହାଯାଏ ଯେ ଇସ୍ରାଏଲର ପ୍ରତ୍ୟେକ ନାଗରିକ ସେନାରେ ଯୋଗଦେବା ବାଧ୍ୟତାମୂଳକ । ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା । ସେନାରେ ଯୋଗଦେବା ବାଧ୍ୟତାମୂଳକ । କିନ୍ତୁ ଏହି ଆର୍ମିଙ୍କୁ କେତେ ମିଳେ ଦରମା ? ଆସନ୍ତୁ ଜାଣିବା…

ଇସ୍ରାଏଲର ସାମରିକ ସେବା କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ । ମହିଳାମାନଙ୍କ ପାଇଁ ଏହି ସେବା ସାଧାରଣତ ୨ ବର୍ଷ ପାଇଁ ହୋଇଥିବା ବେଳେ ପୁରୁଷମାନଙ୍କ ପାଇଁ ଏହି ଅବଧି ୩ ବର୍ଷ ହୋଇଥାଏ । ଯେଉଁ କାରଣରୁ ଇସ୍ରାଏଲ୍ ସେନାରେ ମହିଳାଙ୍କ ସଂଖ୍ୟା ବହୁତ ଅଧିକ । ସେନାର ବିଭିନ୍ନ କାର୍ଯ୍ୟରେ ସେମାନେ ସାମିଲ ହୋଇଥାନ୍ତି । ଯେଉଁଥିରେ ଯୁଦ୍ଧ, ବୈଷୟିକ ଏବଂ ପ୍ରଶାସନିକ ଭୂମିକା ସାମିଲ ହୋଇଥାଏ । ତେବେ କେତେ ହୋଇଥାଏ ମହିଳା ସୈନ୍ୟଙ୍କ ସାଲାରୀ ? 

ଇସ୍ରାଏଲ୍ ସେନାରେ ମହିଳାଙ୍କ ଦରମା ସେମାନଙ୍କ ପଦବୀ ଏବଂ ସେବା ଅବଧି ଆଧାରରେ ସ୍ଥିର ହୋଇଥାଏ । ଏହାବ୍ୟତୀତ ଦରମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି 'ମିଲିଟାରୀ ପେ', ଯାହା ସରକାରୀ ଦରମା ଅଧୀନରେ ରହିଥାଏ ।  ସେନାରେ କାର୍ଯ୍ୟ କରୁଥିବା ମହିଳାଙ୍କ ହାରାହାରି ଦରମା ମାସକୁ ୫୦୦ରୁ ୬୦୦ ଡଲାର ହୋଇଥାଏ ।  ଏହି ପରିମାଣ ଇସ୍ରାଏଲ୍ ମୁଦ୍ରା 'ନ୍ୟୁ ଶେକେଲ' ଅନୁଯାୟୀ ପ୍ରାୟ ୧୮୦୦ରୁ ୨୦୦୦ଶେକଲ୍‌ ହୋଇଥାଏ । ଯେତେବେଳେ କି ଭାରତୀୟ ଟଙ୍କାରେ ଏହା ୫୦ ହଜାର ୩୮୫ ଟଙ୍କା । ଏହି ଦରମା ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଯଥେଷ୍ଟ ହୋଇଥାଏ ।  

ଏହାବ୍ୟତୀତ ବିଶେଷ ଭୂମିକା ଯଥା ବୈଷୟିକ ବିଶେଷଜ୍ଞ, ଡାକ୍ତରୀ ଅଧିକାରୀ କିମ୍ବା ପ୍ରଶାସନିକ ଭୂମିକାରେ କାର୍ଯ୍ୟ କରୁଥିବା ମହିଳାମାନେ ସାଧାରଣ ସୈନିକଙ୍କ ତୁଳନାରେ ଅଧିକ ଦରମା ପାଇଥାନ୍ତି । ଏହି ପୋଷ୍ଟଗୁଡିକ ଅଧିକ ଦାୟିତ୍ବ ଏବଂ ପାରଦର୍ଶିତା ଆବଶ୍ୟକ କରିଥାଏ । ଏହି କାରଣରୁ ସେମାନଙ୍କର ଦରମା ମଧ୍ୟ ଅଧିକ ହୋଇଥାଏ । ଉଚ୍ଚ ପଦାଧିକାରୀ ଏବଂ ବିଶେଷଜ୍ଞଙ୍କ ଦରମା ମାସକୁ ୧ହଜାର ଡଲାରରୁ ୧୫୦୦ ଡଲାର ପର୍ଯ୍ୟନ୍ତ ହୋଇଥାଏ । ସାମରିକ ସେବା ସମୟରେ ଇସ୍ରାଏଲ୍ ସୈନିକଙ୍କୁ ଅନେକ ଭତ୍ତା ଏବଂ ସୁବିଧା ମିଳିଥାଏ । 

ଏହି ଭତ୍ତା ଦରମା ବ୍ୟତୀତ ହୋଇଥାଏ । ଯାହା ସୈନିକମାନଙ୍କ ଜୀବନଶୈଳୀକୁ ଉନ୍ନତି କରିବାରେ ସହାଯ୍ୟ କରିଥାଏ ।  ସାମରିକ ସେବା ସମୟରେ ସୈନିକମାନଙ୍କୁ ମାଗଣା ଖାଦ୍ୟ ଏବଂ ରହଣି ଦିଆଯାଏ । ଏହି ଭତ୍ତା ସେମାନଙ୍କର ମୋଟ ଦରମା ସହିତ ଯୋଡା ଯାଇଥାଏ । ଯାହା ସେମାନଙ୍କର ମାସିକ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିଥାଏ ।  ସମସ୍ତ ସାମରିକ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦିଆଯାଇଥାଏ । ଏଥିରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଚିକିତ୍ସା ସେବା ଏବଂ ଔଷଧ ସାମିଲ ରହିଥାଏ ।  ଏହାବ୍ୟତୀତ ସୈନ୍ୟମାନେ ବିଭିନ୍ନ ପ୍ରକାରର ତାଲିମ ଏବଂ ଶିକ୍ଷା ଗ୍ରହଣ କରିଥାନ୍ତି । ଯାହା ସେମାନଙ୍କ ବୃତ୍ତି ପାଇଁ ଲାଭଦାୟକ ହୋଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.