ନୂଆଦିଲ୍ଲୀ: ଭାରତକୁ ସ୍ୱିଜରଲ୍ୟାଣ୍ଡ ଝଟ୍କା। ମୋଷ୍ଟ ଫେଭର୍ ନେସନ୍ (MFN) ମାନ୍ୟତା ପ୍ରତ୍ୟାହାର କଲା ଏହି ୟୁରୋପୀୟ ଦେଶ। ଏହାର ଅର୍ଥ ହେଉଛି ସ୍ୱିଜରଲ୍ୟାଣ୍ଡରେ ଥିବା ଭାରତୀୟ କମ୍ପାନୀଗୁଡ଼ିକୁ ଏବେ ସ୍ୱିସ୍ ସରକାରଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ। ୨୦୨୫ ପହିଲାରୁ ଏହି ନିୟମ ଲାଗୁ ହେବ।
ଆଉଟିକେ ସରଳ ଭାଷାରେ ବୁଝିବାକୁ ଗଲେ ସ୍ୱିଜରଲ୍ୟାଣ୍ଡରେ ଥିବା ଭାରତୀୟ କମ୍ପାନୀ ସେହି ଦେଶରୁ କମାଇଥିବା ଡିଭିଡେଣ୍ଟ(ମୋଟ ଲାଭ) ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ। କେବଳ ସେତିକି ନୁହେଁ ଭାରତରେ ସ୍ୱିଜରଲ୍ୟାଣ୍ଡ କମ୍ପାନୀ ପକ୍ଷରୁ କମ୍ ନିବେସ ଆସିବ। ଯାହା ଭାରତର ଅର୍ଥନୀତି ପାଇଁ ଏକ ଝଟ୍କା।
ପ୍ରକୃତରେ ସ୍ୱିଜରଲ୍ୟାଣ୍ଡ କମ୍ପାନୀ ନେସ୍ଲେ ବିରୋଧରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ସ୍ୱିସ୍ ଅର୍ଥମନ୍ତ୍ରଣାଳୟ ବିଭାଗ ଏହି ନିଷ୍ପତ୍ତି ନେଇଛି। କ’ଣ ଏହି ପୂରା ମାମଲା ପଢ଼ନ୍ତୁ। ଗତବର୍ଷ ୨୦୨୩ରେ ସୁପ୍ରିମକୋର୍ଟ ନେସ୍ଲେ ବିରୋଧରେ ଏକ ମାମଲାର ଶୁଣାଣି କରିଥିଲା। କୋର୍ଟ କହିଥିଲେ ଯେ ଭାରତୀୟ ଆୟକର ଅଧିନିୟମ ଅନୁଯାୟୀ ଏହା ସୂଚିତ ନହେଲେ DTAA(Double Taxation Avoidance Agreement) କାର୍ଯ୍ୟକାରୀ ହୋଇପାରିବ ନାହିଁ।
ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଦର୍ଶାଇ ସ୍ୱିଜରଲ୍ୟାଣ୍ଡ ଅର୍ଥମନ୍ତ୍ରଣାଳୟ କହିଛି ଯେ ନେଷ୍ଟଲେ ମାମଲାରେ, ଦିଲ୍ଲୀ ହାଇକୋର୍ଟ ୨୦୨୧ରେ ଡବଲ୍ ଟ୍ୟାକ୍ସେସନ ଏଭଏଡାନ୍ସ ଏଗ୍ରୀମେଣ୍ଟ (DTAA)ର ମୋଷ୍ଟ ଫେବର୍ଡ ସେଗ୍ମେଣ୍ଟକୁ ଧ୍ୟାନରେ ରଖି ବକେୟା ଟିକସ ହାରର ଅନୁପାଳନକୁ ସମର୍ଥନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ୧୯ ଅକ୍ଟୋବର ୨୦୨୩ ର ଏକ ରାୟରେ ଏହି ଆଦେଶକୁ ରଦ୍ଦ କରିଦେଇଥିଲେ। ତେଣୁ ଆୟ ଉପରେ ହେଉଥିବା ଡବଲ ଟ୍ୟାକ୍ସରୁ ରକ୍ଷା ପାଇବା ପାଇଁ ଅର୍ଥମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ବୋଲି ସ୍ୱିଜରଲ୍ୟାଣ୍ଡ କହିଛି।
ସେପଟେ ସ୍ୱିଜରଲ୍ୟାଣ୍ଡର ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ମୁକ୍ତ ବ୍ୟାପାର ଚୁକ୍ତି(FTA) ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କଲା ବେଳେ ଏନେଇ ସ୍ୱିଜରଲ୍ୟାଣ୍ଡ ସହ ଆଲୋଚନା ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି। ଇଏଫ୍ଟିଏ ଚୁକ୍ତି ବିଷୟରେ ଆଲୋଚନା ବେଳେ ଏହି ଆଲୋଚନା ହେବ ବୋଲି ସେ କହିଛନ୍ତି।