ପିନାକଲରୁ ୯୦୦ କର୍ମଚାରୀଙ୍କୁ ଛଟେଇ କରିବ HSBC ଚୀନ୍

Published By : Prameya-News7 Bureau | February 27, 2025 IST

ହଂକଂ ୨୭।୨: ଏଚଏସବିସି ବ୍ୟାଙ୍କ ଚୀନ୍‌ରେ ତାଙ୍କ ଡିଜିଟାଲ ୱେଲଥ୍ ବିଜନେସ୍ ପିନାକଲରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ହ୍ରାସରେ ପାଖାପାଖି ୯୦୦ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ, ଯାହା ଏଠାରେ କାମ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟାର ଅଧା ବୋଲି ଆକଳନ କରାଯାଉଛି। ଏହି ନିଷ୍ପତ୍ତି ବ୍ୟାଙ୍କର ସମ୍ପ୍ରସାରଣ ଯୋଜନା ସମୀକ୍ଷା ପରେ ନିଆଯାଇଛି। ନିକଟରେ ବ୍ୟାଙ୍କ ନିଜର ପରିଚାଳନା ବ୍ୟୟ ସମୀକ୍ଷା କରିଥିଲା। 

ଏହି ସମୀକ୍ଷାରେ ବ୍ୟାଙ୍କର କିଛି କ୍ଷେତ୍ରରେ ଖର୍ଚ୍ଚ ଅପ୍ରତ୍ୟାସୀତ ବୃଦ୍ଧି ହେଉଥିବା ଜଣାପଡିଥିଲା। ବ୍ୟୟ ନିୟନ୍ତ୍ରଣ ଓ ଲାଭ ବୃଦ୍ଧି ରଣନୀତିରେ ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ପିନାକଲର ସ୍ଥାପନା ୨୦୨୦ ମସିହାରେ ହୋଇଥିଲା। ଚୀନରେ ଡିଜିଟାଲ ମାଧ୍ୟମରେ ବୀମା ଓ ନିବେଶ ଉତ୍ପାଦ ବିକ୍ରି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜୁନ ୨୦୨୩ ପର୍ଯ୍ୟନ୍ତ ଏହି ସଂସ୍ଥାରେ ୨,୧୦୦ କର୍ମଚାରୀ କାମ କରୁଥିଲେ। 

ସ୍ଥାନୀୟ ମିଡିଆର ଏକ ରିପୋର୍ଟ ଅନୁସାରେ ଆଗାମୀ ଦିନମାନଙ୍କରେ ବ୍ୟାଙ୍କରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏଥିରେ ଫିନଟେକ୍ ୟୁନିଟରୁ ପାଖାପାଖି ୧୦୦ କର୍ମଚାରୀଙ୍କୁ ଛଟେଇ କରାଯିବ। ସେହିପରି ପାଖାପାଖି ୩୦୦ କର୍ମଚାରୀଙ୍କୁ ଏଚଏସବିସିର ଅନ୍ୟ ଶାଖାକୁ ସ୍ଥାନାନ୍ତରଣ କରାଯିବ। ପୁନର୍ଗଠନ ପରେ ଏହି ୟୁନିଟରେ ମାତ୍ର ୨୫ ଜଣ କର୍ମଚାରୀ କାମ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ୭ ମାସରେ ୫୦୦ରୁ ଅଧିକ ବୀମା ଏଜେଣ୍ଟ ପିନାକଲ ଛାଡିଦେଇଛନ୍ତି। ତେବେ ବଡ ସ୍ତରରେ ହେଉଥିବା ପରିବର୍ତ୍ତନ ନେଇ ଏଚଏସବିସି ଏବେ କୌଣସି ଟିପ୍ପଣୀ କରି ନାହାନ୍ତି। ତେବେ ଚୀନ ବ୍ୟାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇ ରହିବ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.