ଉଦଳା ୧୭/୧୨: ମଦ ଚୋରା ଚାଲାଣର ନୂଆ ତରିକା । ସମସ୍ତଙ୍କୁ ଭକୁଆ ବନାଇ ଯାତ୍ରୀବାହୀ ବସ୍ରେ ପାସେଞ୍ଜର ସାଜି କୋଲ୍ଡ ଡ୍ରିଙ୍କସ ବୋତଲରେ ନେଉଥିଲେ ମଦ । ହେଲେ ପୋଲିସ ଆଖିରେ ଧରାପଡିଗଲେ । ଜେରା ପରେ ଖୋଲିଛି ପୁରା ମଦ ବେପାରର କାରନାମା । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ୭୫ଟି ବୋତଲରୁ ୧୮୦ ଲିଟର ମଦ ଜବତ ହୋଇଛି ।
ସୋମବାର ବିଳମ୍ବିତ ରାତିରେ ଖୁଣ୍ଟାରୁ ଭୁବନେଶ୍ବର ଯାଉଥିବା ଘରୋଇ ବସ୍ 'ରାଜାବାବୁ'ରେ ଚୋରା ଦେଶୀ ମଦ ଯାଉଥିବାର ଖବର ପାଇଥିଲା ପୋଲିସ । ଉଦଳା ବସଷ୍ଟାଣ୍ଡରେ ଚଢାଉ ପରେ ଚୋରା ମଦ ସହ ୩ ଜଣ ଧରାପଡିଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବର ହାଇଟେକ ଅଞ୍ଚଳର ସନ୍ୟାସୀ ବିଶୋଇ ଓ ମୁନା ଦାସ । ଅନ୍ୟ ଜଣେ ଉଦଳା ଥାନା ଅମ୍ବିକାଦେଇପୁର ଅଞ୍ଚଳର ରାମ ସିଂ ।
ଭୁବନେଶ୍ବର ବେପାରୀ ସନ୍ୟାସୀ ଓ ମୁନା ମଦ ନେବା ପାଇଁ ଭୁବନେଶ୍ବରରୁ ବସରେ ଆସି ଖୁଣ୍ଟାରେ ପହଞ୍ଚିଥିଲେ । ରାତିରେ ବସରେ ଖୁଣ୍ଟାରୁ ଦେଶୀ ମଦ ନେଇ ଭୁବନେଶ୍ବର ଯାଉଥିଲେ । ସମସ୍ତଙ୍କୁ ଚକ୍ମା ଦେଇ ପାସେଞ୍ଜର ସାଜି କୋଲ୍ଡ ଡ୍ରିଙ୍କସ୍ ବୋତଲରେ ମଦ ପୁରାଇ ଥିଲେ । ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ବରରେ ଦେଲେ ମାଲିକ ୫ ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ ।
ପୋଲିସ ଚଢାଉରେ ପ୍ରାୟ ୭୫ ଗୋଟି ମଦ ଭର୍ତ୍ତି ବୋତଲ ଜବତ କରିଛି । ଯାହା ପ୍ରାୟ ୧୮୦ ଲିଟରରୁ ଅଧିକ ହେବ । ତେବେ ଚୋରା ମଦ ନେଟୱର୍କର ମାଷ୍ଟରମାଇଣ୍ଡ କିଏ ସେ ସଂପର୍କରେ ମୁଁ ଖୋଲୁନାହାନ୍ତି ଗିରଫ ୩ ଅଭିଯୁକ୍ତ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।