ଅଷ୍ଟ୍ରେଲିଆ ଲ୍ୟାବରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ, ଯାଞ୍ଚ ଜାରି

Published By : Prameya-News7 Bureau | December 11, 2024 IST

କ୍ୱିନସଲ୍ୟାଣ୍ଡ ୧୧।୧୨: ଅଷ୍ଟ୍ରେଲିଆର ଏକ ଲାବରେଟରୀରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ ହୋଇଯାଇଛି। କ୍ୱିନସଲ୍ୟାଣ୍ଡ ସରକାର ଏହି ଦାବି କରିଛନ୍ତି। ଏହା ଏକ ଗୁରୁତର ଘଟଣା ବୋଲି ସରକାର କହିଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ୱିନସ୍ ଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ ଅଷ୍ଟ୍ରେଲିଆ ସାର୍ବଜନିକ ସ୍ୱାସ୍ଥ୍ୟ ବିଭାଗକୁ ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି। କୁହାଯାଇଛି ଅଗଷ୍ଟ ୨୦୨୩ରେ କ୍ୱିନସଲ୍ୟାଣ୍ଡର ସାର୍ବଜନିକ ସ୍ୱାସ୍ଥ୍ୟ ଭାଇରୋଲଜି ପ୍ରୟୋଗଶାଳାରୁ ଏହି ନମୁନା ଗାୟବ ହୋଇଛି। 

ଏଥିରେ ଅନେକ ସଂକ୍ରାମକ ଭାଇରସ ଯେପରିକି ହେଣ୍ଡ୍ରା ଭାଇରସ, ଲିସା ଭାଇରସ ଓ ହଣ୍ଟାଭାଇରସ ନମୁନା ମଧ୍ୟ ସାମିଲ ଅଛି। ଏଥିରୁ ୨୩୨ଟି ଶିଶି ହଜି ଯାଇଛି। ହେଣ୍ଡ୍ରା ପଶୁଙ୍କଠୁ ମନୁଷ୍ୟକୁ ବ୍ୟାପୁଥିବା ଭୂତାଣୁ, ଯାହା କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଅନୁସାରେ ହଣ୍ଟା ଭାୟରସ ଏକ ଏପରି ଭୂତାଣୁ ପରିବାର ଯାହା ଗୁରୁତର ରୋଗ ଓ ମୃତ୍ୟୁର କାରଣ ହୋଇପାରେ। ସେହିପରି ଲିସା ଭାୟରସ ରେବିଜର କାରଣ ହୋଇପାରେ। 

ବିଜ୍ଞପ୍ତିରେ କୁହାଯାଇଛି ଯେଉଁ ପ୍ରୟୋଗଶାଳାରୁ ଏହି ଭୂତାଣୁ ନମୁନା ଗାୟବ ହୋଇଛି ତାହା ଚିକିତ୍ସକୀୟ ଗୁରୁତ୍ୱର ଭାଇରସ ଓ ମସା ଏବଂ ଟିଙ୍କ ଜନିତ ରୋଗଜନକର ନୈଦାନିକ ସେବା, ଦେଖରେଖ ଓ ଅନୁସନ୍ଧାନ ପ୍ରଦାନ କରିଥାଏ। ବୟାନରେ କୁହାଯାଇଛି ଯେ ସଂକ୍ରାମକ ନୁମନାଗୁଡିକ ଚୋରି ହୋଇଯାଇଛି ନା ନଷ୍ଟ ହୋଇଯାଇଛି ତାହା ଜଣା ନାହିଁ। ତେବେ ସରକାର ମାମଲାରେ ତାଙ୍କ ଆଡୁ ତଦନ୍ତ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୀ ଟିମୋଥି ନିକୋଲସ ବିଜ୍ଞପ୍ତିରେ କହିଛନ୍ତି ଯେ ଜୈବ ସୁରକ୍ଷା ପ୍ରୋଟକଲର ଏହା ଗୁରୁତର ଉଲ୍ଲଂଘନ। 

ନିକୋଲସ୍ କହିଛନ୍ତି ଯେ କ୍ୱିନସଲ୍ୟାଣ୍ଡ ସ୍ୱାସ୍ଥ୍ୟ ଏ ବାବଦେ ସକ୍ରିୟ ଉପାୟ କରିଛନ୍ତି। ବୋଷ୍ଟନ ନର୍ଥ ଇଷ୍ଟର୍ଣ୍ଣ ୟୁନିଭର୍ସିଟିରେ ଏଆଇ ଓ ଜୀବନ ବିଜ୍ଞାନର ନିର୍ଦ୍ଦେଶକ ସ୍ୟାମ ସ୍କାର୍ପିନୋ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ନିଖୋଜ କୁହାଯାଉଥିବା ସବୁ ରୋଗଜନକ ହାଇ-ରେଜଲ୍ଟର ଓ ଜନତାଙ୍କ ଲାଗି ବିପଦ ସୃଷ୍ଟି କରିପାରେ। ସ୍କାର୍ପିନୋ କହିଛନ୍ତି ଯେ ୩ ରୋଗଜନକର ମନୁଷ୍ୟଙ୍କ ଠାରେ ମୃତ୍ୟୁହାର ବହୁତ ଅଧିକ ହୋଇପାରେ। ତେବେ ସେଗୁଡିକ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ ସହଜରେ ସଞ୍ଚାରିତ ହୁଏ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.