ପୁରସ୍କାର ରାଶି ବଢାଇଲା ICC, WTC ଫାଇନାଲ୍ ବିଜେତାଙ୍କୁ ୩୧ କୋଟି, ଟୁର୍ଣ୍ଣାମେଣ୍ଟର ସବୁ ଟିମ୍ ଉପରେ ଟଙ୍କା ବର୍ଷା

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ: ୱାର୍ଲଡ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ପାଇଁ ଅଷ୍ଟ୍ରେଲିଆ ଓ ଦ.ଆଫ୍ରିକା ନିଜ ଟିମ୍ ଘୋଷଣା କରିସାରିଛନ୍ତି । ଜୁନ୍ ୧୧ରେ ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏଥର ଫାଇନାଲ୍ ପୂର୍ବ ଅପେକ୍ଷା ଅଧିକ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଆଇସିସି ଏଥର ପୁରସ୍କାର ରାଶିରେ ବଡ଼ ବୃଦ୍ଧି କରିଛି । ଏହି ପ୍ରାଇଜ୍ ମନି ଗତ ଦୁଇ ଟୁର୍ଣ୍ଣାମେଣ୍ଟରେ ମିଳିଥିବା ପୁରସ୍କାର ରାଶିଠାରୁ ଦ୍ୱିଗୁଣା ଅଧିକା । ଆଇସିସି ଚେୟାରମ୍ୟାନ ଜୟ ଶାହ ଏହି ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ଥର କେବଳ ଫାଇନାଲରେ ପହଞ୍ଚିଥିବା ଟିମ୍ ମାଲାମାଲ୍ ହେବେ ନାହିଁ, ବରଂ ଟୁର୍ଣ୍ଣାମେଣ୍ଟରେ ସାମିଲ ସବୁ ଟିମ୍‌ଙ୍କ ଉପରେ ଟଙ୍କା ବର୍ଷା ହେବ ।

ଆଇସିସି ଅଧ୍ୟକ୍ଷ ଜୟ ଶାହ ଗୁରୁବାର କହିଛନ୍ତି ଯେ ଚଳିତ ବର୍ଷ ମୋଟ ୫.୭୬ ମିଲିୟନ ଡଲାର ଅର୍ଥାତ୍ ୪୯ କୋଟି ଟଙ୍କାର ବିଜେତା ଓ ଉପବିଜେତାଙ୍କୁ ମଧ୍ୟରେ ବଣ୍ଟାଯିବ । ଡବ୍ଲୁଟିସି ଫାଇନାଲ୍ ବିଜେତା ଟିମକୁ ୩.୬ ମିଲିୟନ ୟୁଏସ୍ ଡଲାର ଅର୍ଥାତ୍ ୩୧ କୋଟି ଟଙ୍କା ମିଳିବ । ଏହା ପୂର୍ବ ଦୁଇ ଫାଇନାଲର ପରୁସ୍କାର ରାଶିଠାରୁ ୨ ମିଲିୟନ ଡଲାର ଅଧିକ । ଏହା ପୂର୍ବରୁ ବିଜେତା ଟିମକୁ ୧.୬ ମିଲିୟନ ଡଲାର ମିଳୁଥିଲା । ସେହିପରି ଉପବିଜେତା ଟିମ୍‌କୁ ୨.୧୬ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୮ କୋଟି ଟଙ୍କା ମିଳିବ । ଏହା ଗତଠାରୁ ପ୍ରାୟ ୩ ଗୁଣା ଅଧିକ । ଗତ ଦୁଇ ଫାଇନାଲ୍ ହାରିଥିବା ଭାରତୀୟ ଟିମକୁ ୮-୮ ଲକ୍ଷ ଡଲାର ମିଳିଥିଲା ।



ଫାଇନାଲରେ ସାମିଲ ଦୁଇ ଟିମ୍ ବ୍ୟତୀତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ଟିମ୍ ଇଣ୍ଡିଆକୁ ମଧ୍ୟ ୧.୪୪ ମିଲିୟନ ଡଲାର ଅର୍ଥାତ୍ ୧୨ କୋଟି ଟଙ୍କା ମିଳିବ । ସେହିପରି ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ୧.୨୦ ମିଲିୟନ ଡଲାର ମିଳିବ । ଇଂଲଣ୍ଡକୁ ୯୬୦,୦୦୦ ଡଲାର, ଶ୍ରୀଲଙ୍କାକୁ ୮୪୦,୦୦୦ ଡଲାର, ବାଂଲାଦେଶକୁ ୭୨୦,୦୦୦ ଡଲାର, ୱେଷ୍ଟ ଇଣ୍ଡିଜକୁ ୬୦୦,୦୦୦ ଓ ପାକିସ୍ତାନକୁ ୪୮୦,୦୦୦ ଡଲାର ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.