ନୂଆଦିଲ୍ଲୀ: ଇଡଲି ଓ ସାମ୍ବର ପାଇଁ ଆସୁ ନାହାନ୍ତି ବିଦେଶୀ ପର୍ଯ୍ୟଟକ। ବିଜେପି ବିଧାୟକ ମାଇକେଲ ଲୋବୋ ଏହି ଦାବି କରିଛନ୍ତି। ଗୋଆ ସମୁଦ୍ରକୂଳରେ ଇଡ୍ଲୀ ସାମ୍ବର ବିକ୍ରି ହେଉଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ମନ ଛାଡି ଯାଉଛି, ସ ଆଉ ଗୋଆ ଆସୁ ନାହାନ୍ତି ବୋଲି ଗୁରୁବାର ମାଇକେଲ କହିଛନ୍ତି।
ଗୁରୁବାର ଉତ୍ତରଗୋଆର କାଲାଙ୍ଗୁଟେରେ ଏକ ସାମ୍ବାଦିକ ସମ୍ମିଳନୀ କରି ମାଇକେଲ ରାଜ୍ୟକୁ ପର୍ଯ୍ୟଟକ ନ ଆସିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ଏଥିପାଇଁ କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ, ଏଥିପାଇଁ ସମସ୍ତଙ୍କର ତ୍ରୁଟି ରହିଛି ବୋଲି ସେ କହିଛନ୍ତି।ଗୋଆବାସୀମାନେ ବ୍ୟବସାୟ ପାଇଁ ସମୁଦ୍ରତଟରେ ଥିବା କୁଡ଼ିଆ ଗୁଡ଼ିକ ଅନ୍ୟ ସ୍ଥାନରୁ ଆସୁଥିବା ବ୍ୟବସାୟୀଙ୍କୁ ଭଡ଼ାରେ ଦେଉଛନ୍ତି।
ସେ କହିଛନ୍ତି “ବେଙ୍ଗାଲୁରୁ କିଛି ବ୍ୟବସାୟୀ ସମୁଦ୍ରକୂଳରେ ଥିବା ଝୁମ୍ପୁଡ଼ିରେ 'ବଡା ପାୱ' ବିକୁଛନ୍ତି। ସେହିପରି ଅନ୍ୟ କିଛି କିଛି ଇଡଲି-ସମ୍ବର ବିକ୍ରି କରୁଛନ୍ତି। ଏଥିପାଇଁ ଗତ ଦୁଇ ବର୍ଷ ହେଲା ରାଜ୍ୟରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ହ୍ରାସ ପାଉଛି।” ତେବେ ଦକ୍ଷିଣ ଭାରତର ଲୋକପ୍ରିୟ ଏହି ଜଳଖିଆ ପର୍ଯ୍ୟଟକ ହ୍ରାସ ପାଇଁ କିଭଳି ଦାୟୀ ସେ ନେଇ ବିଧାୟକ ଅଧିକ କିଛି କହି ନାହାନ୍ତି।
ବିଧାୟକ ଆହୁରି କହିଛନ୍ତି "ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଉତ୍ତର ହେଉ କି ଦକ୍ଷିଣ ସବୁଠି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ବଡ଼ ହ୍ରାସ ହୋଇଛି। ଏଥିପାଇଁ ଅନେକ କାରଣ ଦାୟୀ।" ପ୍ରତ୍ୟେକ ରାଜ୍ୟବାସୀ ଏଥିପାଇଁ ଉତ୍ତରଦାୟୀ ବୋଲି ଲୋବୋ କହିଛନ୍ତି।
ଗୋଆରେ ନିୟମିତ ଭାବେ ହ୍ରାସ ପାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା ନେଇ ଲୋବୋ ଚିନ୍ତା ପ୍ରକଟ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଏକ ମିଳିତ ବୈଠକ କରି ବିଦେଶୀ ପର୍ଯ୍ୟଟକମାନେ ଗୋଆ ଆସିବାକୁ କାହିଁକି ପ୍ରସ୍ତୁତ ନୁହଁନ୍ତି ତାହାର କାରଣ ଅଧ୍ୟୟନ କରିବା ଉଚିତ ବୋଲି ସେ କହିଛନ୍ତି। ଏହା ବାଦ୍ ତୁରନ୍ତ ଏ ନେଇ କୌଣସି ସିଷ୍ଟମ ବାହାର ନକଲେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ ହୋଇଯିବ ବୋଲି ଲୋବୋ କହିଛନ୍ତି।