୨୦୩୬ ଅଲିମ୍ପିକ୍ସ ପାଇଁ ଦାବି ଉପସ୍ଥାପନ କଲା ଭାରତ, ଉଠାଇଲା ପ୍ରଥମ ବଡ଼ ପଦକ୍ଷେପ

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ଅଲିମ୍ପିକ୍ସ ୨୦୨୪ ପ୍ୟାରିସ୍‌ରେ ଖେଳା ଯାଇଥିଲା। ଏହା ପରେ ପରବର୍ତ୍ତୀ ୨୦୨୮ ସଂସ୍କରଣ ଆମେରିକାର ଲସ ଏଞ୍ଜେଲେସ୍‌ରେ ଆୟୋଜନ  ହେବ। ୨୦୩୨ର ଆୟୋଜନ ପାଇଁ ସ୍ଥାନ ଚୟନ ହୋଇ ସାରିଛି। କିନ୍ତୁ ଅଦ୍ୟାବଧି ୨୦୩୬ ଅଲିମ୍ପିକ୍ସ କେଉଁଠି ଖେଳାଯିବ ତାହା ସ୍ଥିର ହୋଇ ନାହିଁ। ଅନ୍ୟପଟେ ଖବର ଆସିଛି ଯେ, ଭାରତ ୨୦୩୬ରେ  ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ ପାଇଁ ନିଜର ଦାବି ଉପସ୍ଥାପନ କରିଛି।

ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଏହି ବିଷୟରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିକୁ ଚିଠି ଲେଖି ନିଜର ଇଚ୍ଛା ଜାହିର କରିଛି। ଏହି ଚିଠି ଅକ୍ଟୋବର ୧ ତାରିଖ ଆଇଓସିକୁ ପଠା ଯାଇଥିବା ଜଣାଯାଇଛି। ଏହା ଜରିଆରେ ଭାରତ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଆୟୋଜନ ପାଇଁ ଆଗ୍ରହୀ ଥିବା ଜଣାଇ ଦେଇଛି। ଭାରତ ସେହି ଦେଶରେ ସାମିଲ, ଯେଉଁମାନେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। 

ଭାରତ ଏ ପର୍ଯ୍ୟନ୍ତ ଅଲିମ୍ପିକ୍ସର ଆୟୋଜନ କରିନାହିଁ। ଏ ପର୍ଯ୍ୟନ୍ତ କେବଳ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଛି। ୨୦୨୨ ନଭେମ୍ବରରେ ଆଇଓସି ଭାରତ ସହିତ ଏହି ଦେଶଗୁଡ଼ିକ ସହ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଲୋଚନା କରିଛି। ଏଥିରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀଏ, ଭାରତ,ପୋଲାଣ୍ଡ, ଇଜିପ୍ଟ ଓ ଦକ୍ଷିଣ ଆଫ୍ରିକା ସାମିଲ। ଭାରତ ଅହମ୍ମଦାବାଦ ସହରରେ ଅଲିମ୍ପିକ୍ସର ସମସ୍ତ କ୍ରୀଡ଼ା ଆୟୋଜନ କରିବ ବୋଲି ଆଇଓସିକୁ ଜଣାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଉଲ୍ଲେଖ କରିଥିଲେ। ମୋଦୀ କହିଥିଲେ, ଭାରତ ୨୦୩୬ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କରୁଛି।ଏହି ବିଷୟରେ ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଥିବା ଖେଳାଳିଙ୍କ ମତାମତ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଆମେ ଚାହୁଁଛୁ ଆପଣମାନେ ଏହି ସଂଦର୍ଭରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସରକାରଙ୍କ ସହ ଆଲୋଚନା କରନ୍ତୁ। ଯଦ୍ଵାରା ୨୦୩୬ର ପ୍ରସ୍ତୁତି ପାଇଁ କୌଣସି ବି ସୂଚନା ବାଦ୍ ନ ପଡ଼ୁ। 

ଏହା ପୂର୍ବରୁ ଗତ ବର୍ଷ ମୁମ୍ବାଇରେ ଆଇଓସିର ୧୪୧ ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୩୬ ଅଲିମ୍ପିକ୍ସର ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ, ୧୪୦ କୋଟି ଭାରତୀୟ ଏହି କ୍ରୀଡ଼ା ଆୟୋଜନ କରିବାକୁ ଉତ୍ସୁକ। ଆମେ ୨୦୩୬ରେ ଭାରତୀୟ ମାଟିରେ ଅଲିମ୍ପିକ୍ସର ଆୟୋଜନରେ କୌଣସି ଅଭାବ ରଖିବା ନାହିଁ। ଏହା ଭାରତୀୟଙ୍କ ବହୁତ ବଡ଼ ସ୍ଵପ୍ନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.