ସବୁଠୁ ବଡ଼ ବହୁରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ‘ତରଙ୍ଗ ଶକ୍ତି’, ଦୁନିଆକୁ ନିଜ ଶକ୍ତି ଦେଖାଇବ IAF

Published By : Prameya-News7 Bureau | August 03, 2024 IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ଯାଏଁର ସବୁଠାରୁ ବଡ଼ ସୈନ୍ୟ ଅଭ୍ୟାସ କରିବାକୁ ଯାଉଛି । ଏହି ଯୁଦ୍ଧାଭ୍ୟାସର ନାଁର 'ତରଙ୍ଗ ଶକ୍ତି' ଦିଆଯାଇଛି । ଏହି ଯୁଦ୍ଧାଭ୍ୟାସରେ ୧୦ ଦେଶର ବାୟୁସେନା ଏବଂ ୧୮ ଦେଶର ବାୟୁସେନା ପର୍ଯ୍ୟବେକ୍ଷକ ଭାବେ ସାମିଲ ହେବେ । ଏହି ଯୁଦ୍ଧାଭ୍ୟାସ୍ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟ ଅଗଷ୍ଟ ୬ରୁ ଅଗଷ୍ଟ ୧୪ ଯାଏଁ ଚାଲିବ । ଯୁଦ୍ଧାଭ୍ୟାସର ଦ୍ୱିତୀୟ ପ୍ରର୍ଯ୍ୟାୟ ଅଗଷ୍ଟ ୨୯ରୁ ସେପ୍ଟେମ୍ୱର ୧୨ ଯାଏଁ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସୁଲୁରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନର ଯୋଧପୁରରେ ଯୁଦ୍ଧାଭ୍ୟାସ୍ ହେବ । ଏଥିରେ ବାୟୁସେନାର ୭୫ରୁ ୮୦ ଯୁଦ୍ଧ ବିମାନ ସାମିଲ ହେବେ । ଏଥିରେ ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଏବଂ ସ୍ପେନ୍ ପରି ଦେଶର ଲଢୁଆ ବିମାନ ନିଜର ଶକ୍ତି ଦେଖାଇବେ ।

ଏହି ଯୁଦ୍ଧାଭ୍ୟାସରେ ୟୁଏଇ, ସିଙ୍ଗାପୁର, ଗ୍ରୀସ୍ ଏବଂ ବାଂଲାଦେଶ ବାୟୁସେନା ମଧ୍ୟ ଅଂଶଗ୍ରହଣ କରିବେ । ତେବେ ଭାରତର ଦୁଇ ସାମରିକ ସହଯୋଗୀ ରୁଷ ଏବଂ ଇସ୍ରାଏଲ୍ ଏଥିରେ ଅଂଶଗ୍ରହଣ କରିବେ ନାହିଁ । ରୁଷ-ୟୁକ୍ରେନ୍ ଯୁଦ୍ଧ ଏବଂ ଇସ୍ରାଏଲ୍-ହମାସ ସଂଘର୍ଷ ଯୋଗୁଁ ଦୁଇ ଦେଶ ସାମିଲ ହୋଇପାରିବେ ନାହିଁ ।

ବାୟୁସେନା ଅନୁସାରେ 'ତରଙ୍ଗ ଶକ୍ତି' ଯୁଦ୍ଧାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ପରସ୍ପରର ବିଶ୍ୱାସକୁ ବଢାଇବା, ପରସ୍ପର ମଧ୍ୟରେ ସମନ୍ୱୟକୁ ଉନ୍ନତ କରିବା ଏବଂ ପରସ୍ପରଠାରୁ ଶିଖିବା । ଏହା ଜରିଆରେ ମିତ୍ର ଦେଶ ସହ ମିଶି କାମ କରିବା ରାସ୍ତା ବାହାର କରାଯିବ ଏବଂ ରଣନୈତିକ ସମ୍ପର୍କକୁ ମଜଭୁତି କରାଯିବ । ଏହି ଯୁଦ୍ଧାଭ୍ୟାସ୍ ଜରିଆରେ ଭାରତ ଦୁନିଆକୁ ନିଜ ବାୟୁଶକ୍ତି ଦେଖାଇବ । ଏହାସହ  ଆତ୍ମନିର୍ଭରତା ବଳରେ ବଢିଥିବା ବାୟୁ ଶକ୍ତିର ପ୍ରଦର୍ଶନ ମଧ୍ୟ କରିବ । ତରଙ୍ଗ ଶକ୍ତି ଯୁଦ୍ଧାଭ୍ୟାସରେ ରାଫେଲ୍, ସୁଖୋଇ, ମିରାଜ, ଜାଗୁଆର ଏବଂ ତେଜସ ପରି ଯୁଦ୍ଧ ବିମାନ ନିଜ ଦମ ଦେଖାଇବେ । ଅନ୍ୟପଟେ ଅଟେର ହେଲିକପ୍ଟର ରୁଦ୍ର ଏବଂ ପ୍ରଚଣ୍ଡ ସହ ଟ୍ରାନ୍ସପୋର୍ଟ ବିମାନ ସି ୧୩୦ ଏବଂ ଅବାକ୍ସ ଏହି ଯୁଦ୍ଧାଭ୍ୟାସର ଆକର୍ଷଣ ହେବ । 

ଏହା ବ୍ୟତୀତ ଫ୍ରାନ୍ସର ରାଫେଲ୍, ଜର୍ମାନୀର ଟାଇଫୁନ୍ ଏବଂ ଅଷ୍ଟ୍ରେଲିଆର ଏଫ୍-୧୮ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ଆକର୍ଷଣର କେନ୍ଦ୍ର ରହିବେ । ଏହି ସାମରିକ ଅଭ୍ୟାସ ଜରିଆରେ ଦୁନିଆ ଭାରତୀୟ ବାୟୁସେନାର ବଢୁଥିବା ଶକ୍ତି ସହ ଅବଗତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.